ହାଥରସ ଘଟଣା: ‘ମା ଚିନ୍ତା କରିବନି, ମୁଁ ତୁରନ୍ତ ଘରକୁ ଫେରିବି’… ଅଧୁରା ରହିଗଲା ଝିଅର ମାକୁ ଦେଇଥିବା ପ୍ରତିଶ୍ରୁତି
30/09/2020 at 9:44 PM

ହାଥରସ ୩୦।୦୯: ହାଥରସ ଗଣଦୁଷ୍କର୍ମରେ ଝିଅ ମୃତ୍ୟୁରେ ବାଲ୍ମିକୀ ପରିବାର ଭାଙ୍ଗି ପଡିଛି। ପୀଡିତାଙ୍କ ପରିବାର ସମର୍ଥନରେ ପୂରା ଦେଶ ଛିଡା ହୋଇ ଯାଇଛି। ସେପ୍ଟେମ୍ବର ୧୪ର ଘଟଣା ପରେ ଜୀବନ ଓ ମରଣ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିବା ପୀଡିତାଙ୍କ ଚିତା ଶାନ୍ତ ହୋଇ ସାରିଛି। ପୀଡିତାଙ୍କ ମା ଏବେ ମଧ୍ୟ ବିଶ୍ଵାସ କରି ପାରୁନାହାନ୍ତି ଯେ, ଶେଷ ନିଜ ଝିଅଙ୍କୁ ଥରୁଟିଏ ବି ଛାତିରେ ଜାବୁଡି ଧରି ପାରି ନାହାନ୍ତି। ଭଲ ଭାବେ ଦେଖି ପାରି ନାହାନ୍ତି।
ଝିଅର ମୃତ୍ୟୁରେ ଆଖିର ଲୁହ ଶୁଖୁନଥିବା ମା କହିଛନ୍ତି ରାତିରେ ସ୍ଥିତି ଏମିତି ହୋଇ ଯାଇଥିଲା ସେ ନିଜ ଝିଅକୁ ନିଜ ଘରୁ ମଧ୍ୟ ଶେଷ ବିଦାୟ ଦେଇ ପାରିଲି ନାହିଁ। ପୀଡିତାଙ୍କ ଘରେ ଏବେ କେବଳ ଅବଶୋଷ ହିଁ ବାକି ରହିଗଲା। ଗତକାଲି ପୋଲିସ ବଳପୂର୍ବକ ପରିବାର ଲୋକଙ୍କ ଅନୁପସ୍ଥିତିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇ ନଥିଲା।

ପୀଡିତାଙ୍କୁ ନିଜ ଘରର ଚିନ୍ତା ଏତେ ଥିଲା ଯେ, ସେ ହସ୍ପିଟାଲର ଶଯ୍ୟାରେ ଯେବେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ସେହି ସମୟରେ ନିଜ ମା ଏବଂ ପରିବାର ଲୋକଙ୍କ ଭଲମନ୍ଦ ପଚାରୁଥିଲେ। ପୀଡିତାଙ୍କ ସହିତ ହସ୍ପିଟାଲରେ ଥିବା ତାଙ୍କ ଭାଉଜ କହିଛନ୍ତି ସେ ମାଙ୍କୁ ନେଇ ବେଶି ଚିନ୍ତିତ ଥିଲେ। ସେ ମୋତେ କହିଥିଲେ ଯେ, ମାଙ୍କୁ କହି ଦେବ ସେ ବେଶି ଚିନ୍ତା କରିବ ନାହିଁ, ମୁଁ ତୁରନ୍ତ ଘରକୁ ଫେରିବି।
ଅଲିଗଢର ହସ୍ପିଟାଲରୁ ଦିଲ୍ଲୀ ହସ୍ପିଟାଲକୁ ଯିବା ବେଳେ ପୀଡିତା ଭାବିନଥିବେ ଯେ, ସେ ଆଉ ଜୀବନରେ କେବେ ଘରକୁ ଫେରିବେ ନାହିଁ। ଉଲ୍ଲେଖଯୋଗ୍ୟ, ହାଥରସ ଜିଲ୍ଲାର ଚନ୍ଦପା ଥାନା ଅନ୍ତର୍ଗତ ଗାଁରେ ସେପ୍ଟେମ୍ବର ୧୪ ସକାଳେ ୧୯ ବର୍ଷୀୟ ପୀଡିତା ସହିତ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଘଟଣାର ଅନେକ ଦିନ ପରେ ଯାଇ ପୀଡିତାଙ୍କ ଚେତା ଆସିଥିଲା। ଯୁବତୀଙ୍କ ପ୍ରଥମେ ଅଲିଗଡରେ ଚିକିତ୍ସା କରାଯାଇଥିଲା, ହେଲେ ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।