ହିଂସକ ହେଲା ବିଶ୍ୱ ହିନ୍ଦୁ ପରିଷଦ ରାଲି: ମାଇକ୍‌ ଆଗରେ ବକ୍ତା କହିଲେ, ସେମାନଙ୍କର ହାତ ଓ ମୁଣ୍ଡ କାଟି ଦିଅ

Published By : Prameya-News7 Bureau | October 09, 2022 IST

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ରାଲିରେ ହିଂସକ ଭାଷଣ। ହାତ ଓ ମୁଣ୍ଡକାଟ କରିବା କଥା କହିଲେ ଭିଏଚ୍‌ପି ବକ୍ତା। ଦିଲ୍ଲୀରେ ଆୟୋଜିତ ଏକ ରାଲିରେ ଭିଏଚ୍‌ପି ବକ୍ତା ଜଗତ ଗୁରୁ ଯୋଗେଶ୍ୱର ଆଚାର୍ଯ୍ୟ ଏପରି ବୟାନ ଦେଇଛନ୍ତି। ଯିଏ ଆମ ଉପରକୁ ଆକ୍ରମଣ କରିବ ଆମେ ତା ହାତ କାଟିଦେବା ବୋଲି ଆଚାର୍ଯ୍ୟ କହିଛନ୍ତି।

ଯଦି ଆବଶ୍ୟକ ପଡ଼େ, ସେମାନଙ୍କର ହାତି କାଟିଦେବା, ମୁଣ୍ଡ କାଟି ଅଲଗା କରିଦେବା । ଅଧିକରୁ ଅଧିକ ଜେଲ୍ ଯିବା। ଏଭଳି ଅସାମାଜିକମାନଙ୍କୁ ଶିକ୍ଷା ଦବାର ସମୟ ଆସିଯାଇଛି। ଏମାନଙ୍କୁ ବାଛି ବାଛି ମାର ବୋଲି ଆଚାର୍ଯ୍ୟ କହିଛନ୍ତି। ସେହିପରି ରାଲିରେ ଅନ୍ୟ ଜଣେ ପ୍ରବକ୍ତା ମହନ୍ତ ନୱାଲ କିଶୋର ଦାସ ଲୋକଙ୍କୁ ଲାଇସେନ୍ସ ଓ ବିନା ଲାଇସେନ୍ସରେ ବନ୍ଧୁକ ଉଠାଇବାକୁ ଉକ୍‌ସାଇଛନ୍ତି।

ସେ କହିଛନ୍ତି ଯେ ଲାଇସେନ୍ସ ନେଇ ବନ୍ଧୁକ ଧର। ଯଦି ଲାଇସେନ୍ସ ମିଳୁ ନାହିଁ ତେବେ ଚିନ୍ତା କରନାହିଁ। ଯେଉଁମାନେ ତୁମକୁ ମାରିବାକୁ ଆସୁଛନ୍ତି କଣ ସେମାନଙ୍କର ଲାଇସେନ୍ସ ଅଛି ? ତେଣୁ ଲାଇସେନ୍ସର କଣ ଆବଶ୍ୟକତା ? ମାଇକ୍‌ରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଏପରି କହିଛନ୍ତି ମହନ୍ତ ନୱାଲ କିଶୋର ଦାସ। ସେ ଏତିକିରେ ଅଟକି ଯାଇ ନାହାନ୍ତି।

ସେ କହିଛନ୍ତି ଯେ ଯଦି ଆମେସବୁ ଏକାଠୀ ଆସିବା ତେବେ ଦିଲ୍ଲୀ ପୁଲିସ କମିଶନର ବି ଆମକୁ ଚା ଯାଚିବେ। ଆମେ ଯାହା ଚାହିଁବା ତାହା କରିବାକୁ ଦେବେ ବୋଲି ଦାସ କହିଛନ୍ତି।

ସେହିପରି ରାଲିରେ ବକ୍ତାଙ୍କର ମନ୍ତବ୍ୟକୁ ସମର୍ଥନ ଦେଇ ଦେଇ ଭିଏଚ୍‌ପି ପ୍ରବକ୍ତା ବିନୋଦ ବନଶଲ କହିଛନ୍ତି ଯେ ଏହା ଏକ ଜନଆକ୍ରୋଶ ରାଲି। ଏହାର ମେସେଜ୍ କେବଳ ଜିହାଦୀମାନଙ୍କ ପାଇଁ କୌଣସି ସମ୍ପ୍ରଦାୟ ପାଇଁ ନୁହେଁ। ବର୍ତ୍ତମାନ ଲୋକମାନଙ୍କ ମନରେ ରାଗ ରହିଛି। ଯଦି ଆବଶ୍ୟକ ପଡ଼େ ସେମାନେ ଏଭଳି ଜିହାଦୀମାନଙ୍କ ବିରୋଧରେ ଆତ୍ମରକ୍ଷା ପାଇଁ ଆଗେଇ ଆସିବେ ବୋଲି ଭିଏଛ୍‌ପି ପ୍ରବକ୍ତା କହିଛନ୍ତି।   ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଭିଏଚ୍‌ପିର ଏଭଳି ମନ୍ତବ୍ୟ ସାମ୍ନାକୁ ଆସିଛି।

ହତ୍ୟା ପଛରେ ମୁସଲମାନ ସମ୍ପ୍ରାଦୟର ଲିଙ୍କ ରହିଥିବା କୁହାଯାଉଥିବା ବେଳେ ପୁଲିସ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ମୋବାଇଲ୍ ଚୋରି ମନୀଷ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ଅପରାଧିମାନେ ତାଙ୍କୁ ଧମକାଇବା ସତ୍ତ୍ୱେ ବି ସେ ମାମଲା ୱିଡ୍ର କରି ନଥିଲେ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ କହିଛି। ବର୍ଷେ ତଳେ ତାଙ୍କ ମୋବାଇଲ୍ ଛଡ଼ାଇ ନିଆଯାଇଥିଲା। ମନୀଷଙ୍କୁ ସେହି ମୋବାଇଲ୍‌ ଚୋରର ସାଙ୍ଗମାନେ ହତ୍ୟା କରିଥିବା ପୁଲିସ କହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.