ନକଲି ଜାତିଗତ ପ୍ରମାଣ ପତ୍ର ଦେଇ କରିଛନ୍ତି ସରକାରୀ ଚାକିରି; ହେଉନାହିଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 29, 2022 IST

ଭଦ୍ରକ ୨୯/୦୬ : ଭୁଲ ଜାତିଗତ ପ୍ରମାଣ ପତ୍ର ଦେଇ କରିଛନ୍ତି ଚାକିରି। ସେବି ପୁଣି ଛୋଟ ମୋଟ ଚାକିରି ନୁହେଁ , ରାଜସ୍ୱ ନିରିକ୍ଷକ ପଦବୀରେ ଚାକିରି କରିଛନ୍ତି। ଏନେଇ ସୂଚନା ଅଧିକାର ଆଇନ ଜରିଆରେ ଜଣାପଡ଼ିବା ପରେ ଅଭିଯୋଗ ହୋଇଥିପଲା। ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ଅଭିଯୋଗକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆବେଦନ କାରୀ ପୁଣିଥରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।        

ଖବର ଅନୁସାରେ, ଭଦ୍ରକ ଜିଲ୍ଲାର ଭଦ୍ରକ ତହସିଲ ଅଧୀନରେ ରାଜସ୍ୱ ନିରୀକ୍ଷକ ଭାବେ ଗଜେନ୍ଦ୍ର ଦାସ କାର୍ଯ୍ୟରତ ଅଛନ୍ତି। ସେ ୨୦୧୩ ମସିହାରେ ଚାକିରି ବେଳେ ଅନୁସୂଚିତ ଜନଜାତିର ପ୍ରମାଣପତ୍ର ଦେଇଥିଲେ। କିନ୍ତୁ ପରେ ସୂଚନା ଅଧିକାର କର୍ମୀ ବିକାଶ ଧଳ ଆରଟିଆଇ ମାଧ୍ୟମରେ ପାଇଥିବା ରିପୋର୍ଟରେ ଏହି ପ୍ରମାଣପତ୍ର ନକଲି ବୋଲି ଜାଣିଥିଲେ। ଏନେଇ ସେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ  ଅଦାଲତ ଭଦ୍ରକ ଜିଲ୍ଲାପାଳଙ୍କୁ ୩ ମାସ ମଧ୍ୟରେ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।  

ତେବେ ଯାଞ୍ଚ କମିଟି ପରେ ଅଭିଯୋଗର ସତ୍ୟତା ଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ନିୟମ ଅନୁଯାୟୀ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ଦରମା ବନ୍ଦ ସହ ସରକାରୀ ସୁବିଧା ଉପରେ ଅଙ୍କୁଶ ଲଗାଇବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ  ନିଆଯାଇ ନଥିବାରୁ ଆବେଦନକାରୀ ପୁଣି ଥରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.