ହରିୟାଣା ସରକାରଙ୍କୁ ଝଟକା, ଘରୋଇ ନିଯୁକ୍ତିରେ ୭୫% ସଂରକ୍ଷଣକୁ ରଦ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | November 17, 2023 IST

ଚଣ୍ଡିଗଡ଼: ହରିୟାଣାରେ ଘରୋଇ କ୍ଷେତ୍ରରେ ରାଜ୍ୟର ଲୋକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଆଇନକୁ ପଞ୍ଜାବ ଓ ହରିୟାଣା କୋର୍ଟ ଖାରଜ କରିଛନ୍ତି । ହରିୟାଣା ସରକାରଙ୍କ ଏହି ଆଇନକୁ ନେଇ ଉଦ୍ୟୋଗ ମାଲିକମାନେ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ଶୁକ୍ରବାର ହାଇକୋର୍ଟରେ ଜଷ୍ଟିସ୍ ଜିଏସ୍ ସନ୍ଧାୱାଲିଆ ଓ ଜଷ୍ଟିସ୍ ହରପ୍ରୀତ କୌର ଜୀବନ ଏହି ରାୟ ଦେଇଛନ୍ତି । ମାମଲାର ଶୁଣାଣି ଏକ ମାସ ପୂର୍ବ ଶେଷ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଏହି ଆଇନକୁ ନେଇ ହାଇକୋର୍ଟ ପୂର୍ବରୁ ମଧ୍ୟ ୨୦୨୨ ମାର୍ଚ୍ଚରେ ରାୟ ସଂରକ୍ଷିତ ରଖିଥିଲେ । ସେତେବେଳେ ହାଇକୋର୍ଟ ଏହି ଆଇନର ସପକ୍ଷ ଓ ବିରୋଧୀ ସଭିଙ୍କ ଯୁକ୍ତି ଶୁଣିଥିଲେ । ଏହାପରେ ୨୦୨୩ ଏପ୍ରିଲରେ ପୁଣି ଥରେ ଏହା ଉପରେ ଶୁଣାଣି ଆରମ୍ଭ କରିଥିଲେ ।

ହରିୟାଣା ସରକାର ଷ୍ଟେଟ୍ ଏମ୍ପ୍ଲୟଲମେଣ୍ଟ ଅଫ୍ ଲୋକାଲ୍ କ୍ୟାଣ୍ଡିଡେଟ୍ ଆକ୍ଟ ୨୦୨୦ କରିଥିଲେ । ଏହା ଅନୁସାରେ ଘରୋଇ କମ୍ପାନି, ସୋସାଇଟି, ଟ୍ରଷ୍ଟ, ଭେଞ୍ଚର ଫାର୍ମ ସମେତ ସମସ୍ତ ଘରୋଇ ସଂସ୍ଥାନରେ ହରିୟାଣାର ଯୁବକ-ଯୁବତୀଙ୍କୁ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହି ସଂରକ୍ଷଣ ସେ ଘରୋଇ ସଂସ୍ଥାନରେ ଲାଗୁ ହେବ ଯେଉଁଠି ୧୦ କିମ୍ୱା ତାହାଠାରୁ ଅଧିକ ନିଯୁକ୍ତି ପାଇଥିବେ । ଏହାସହ ସେମାନଙ୍କ ଦରମା ମାସିକ ୩୦,୦୦୦ରୁ କମ ଥିବ । ଏହା ଉପରେ ୨୦୨୧ ନଭେମ୍ୱର ୬ରେ ଶ୍ରମ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଥିଲା । ହରିୟାଣାର ନୂଆ-ପୁରୁଣା ଫ୍ୟାକ୍ଟ୍ରି, ସଂସ୍ଥାନରେ ହରିୟାଣାର ମୂଳବାସୀଙ୍କୁ ୭୫ ପ୍ରତିଶତ ନିଯୁକ୍ତି ଦେବାକୁ ପଡ଼ିବ ।

ପଢନ୍ତୁ: କିଏ ଏହି ମନୋଜ ଜରାଙ୍ଗେ ପାଟିଲ ? ସାଧାରଣ ପରିବାରରୁ ଆସି କିପରି ପାଲଟିଲେ ମରାଠା ସଂରକ୍ଷଣ ଆନ୍ଦୋଳର ସବୁଠୁ ବଡ଼ ଚେହେରା ?

ଏହି ମାମଲାରେ ଫରିଦାବାଦ ଓ ଗୁରୁଗ୍ରାମର ଉଦ୍ୟୋଗ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ଏହି ଆଇନ ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଥିଲେ । ଏହି ଆଇନ ବିରୋଧରେ ଆବେଦନ ହେବା ପରେ ହାଇକୋର୍ଟ ୨୦୨୨ ଫେବ୍ରୁଆରେ ଏହା ଉପରେ ରୋକ୍ ଲଗାଇଥିଲେ । ହରିୟାଣା ସରକାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ । ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ୪ ସପ୍ତାହ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ କହିଥିଲେ । ରାୟରେ ଏହା ମଧ୍ୟ କୁହାଯାଇଥିଲା ଯେ ଯେପର୍ଯ୍ୟନ୍ତ ହରିୟାଣାରେ ଏହି ଆଇନର ସାମ୍ୱିଧାନିକ ବୈଧତା ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ନଆସିଛି, ସେପର୍ଯ୍ୟନ୍ତ ସରକାର ଆଇନ ଅବମାନନାରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.