ହରିୟାଣା କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା କୋଚ୍, ଥାନାରେ ରୁଜୁ ହେଲା ମାମଲା

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଳୀ, ୦୧/୦୧: ଭାରତୀୟ ହକି ଟିମ୍‌ର ପୂର୍ବତନ ଖେଳାଳି ତଥା ହରିୟାଣା କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା କୋଚ୍‌ । ମହିଳା କୋଚ୍ ଚଣ୍ଡିଗଡ଼ ଏସପିଙ୍କୁ ଭେଟି ଖେଳମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଗତକାଲି ମହିଳାଙ୍କ ଅଭିଯୋଗ ଆଧାରରେ ଚଣ୍ଡିଗଡ଼ ସେକ୍ଟର ୨୬ ର ପୋଲିସ ଥାନା ଆଇପିସି ଧାରା ୩୫୪, ୩୫୪ଏ, ୩୫୪ବି, ୩୪୨ ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଛି।

୨୦୧୬ ରେ ମହିଳା ଅଲିମ୍ପିକ୍ ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିଲେ। ମହିଳା ସେପ୍ଟେମ୍ବର ୨୦୨୨ ରେ ଖେଳ ବିଭାଗର ଜୁନିୟର କୋଚ୍ ଭାବରେ ନିୟୋଜିତ ହୋଇଥିଲେ। ପୀଡ଼ିତା ଅଭିଯୋଗ କରିଥିଲେ ଯେ ସନ୍ଦୀପ ସିଂହ ଇନଷ୍ଟାଗ୍ରାମ ଏବଂ ସ୍ନାପ୍‌ଚାଟ୍‌ରେ ତାଙ୍କୁ ମେସେଜ୍ ପଠାଇ ଡକ୍ୟୁମେଣ୍ଟ ଦେବା ବାହାନାରେ ନିଜ ଘରକୁ ଡାକିଥିଲେ ଏବଂ ସେଠାରେ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା କୋଚ୍। ସେ ଆହୁରି ଅଭିଯୋଗ କରିଛନ୍ତି ମନ୍ତ୍ରୀ ତାଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ, ଆଉ ଅସଦାଚରଣ କରିଥିଲେ। କିନ୍ତୁ ସେ କୌଣସିମତେ ସେଠାରୁ ବାହାରିବାରେ ସଫଳ ହୋଇଥିଲେ।

ମହିଳା ଅଭିଯୋଗ କରିଛନ୍ତି ମନ୍ତ୍ରୀ ତାଙ୍କ କଥା ନମାନିଲେ ଟ୍ରାନ୍ସଫର କରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ମହିଳା ଡିଜିପି କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ। ମହିଳା ଅଭିଯୋଗ କରିଥିଲେ ତାଙ୍କ ମାନସିକ ଭାବରେ ହଇରାଣ କରାଯାଉଛି। ସେପଟେ ଅଭିଯୋଗକୁ ନେଇ କ୍ରୀଡ଼ା ମନ୍ତ୍ରୀ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳା ମିଥ୍ୟା ଅଭିଯୋଗରେ ଫସାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.