ନୁହ ହିଂସାରେ ୯୩ ମାମଲା ରୁଜୁ, ୧୭୬ ଗିରଫ, ପଳାୟନ ଖବରକୁ ଗୁଜବ କହିଲେ ଅତିରିକ୍ତ ଶାସନ ସଚିବ
3/08/2023 at 8:59 PM

ନୁହ: ହରିଆଣାର ମେୱାତ ଜିଲ୍ଲା ନୁହରେ ହିଂସାକାଣ୍ଡ ପରେ ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଏନେଇ ହରିଆଣାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟିଭିଏସ୍ଏନ ପ୍ରସାଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ହିଂସା ମାମଲାରେ ଏପର୍ଯ୍ୟନ୍ତ ପାଞ୍ଚଟି ଜିଲ୍ଲାରେ ମୋଟ ୯୩ ଟି ମାମଲା ଦାୟର ହୋଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସାଦଙ୍କ ସୂଚନା ଅନୁସାରେ, ନୁହରେ ୪୬ ଟି, ଫରିଦାବାଦରେ ୩, ରେୱାରୀରେ ୩, ଗୁରୁଗ୍ରାମରେ ୨୩ ଏବଂ ପାଲୱାଲରେ ୧୮ ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ମୋଟ ୧୭୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୭୮ ଜଣଙ୍କୁ ଅଟକ ରଖାଯାଇଛି। ତନ୍ଦନ୍ତ ନେଇ ସେ କହିଛନ୍ତି, “ଆମେ ତଦନ୍ତ ଜାରି ରଖିଛୁ। ସେ ଯିଏ ହୁଅନ୍ତୁ ନା କାହିଁକି ଯେଉଁ ଧର୍ମର ହେଇଥାଆନ୍ତୁ ନା କାହିଁକି, କାହାକୁ ଛଡ଼ା ଯିବନି।”
ପଢ଼ନ୍ତୁ-ମଣିପୁରରେ ପୁଣି ହିଂସା: ସଶସ୍ତ୍ର ବାହିନୀଙ୍କ ଉପରେ ଆକ୍ରମଣ କଲେ ମୈତେଇ ମହିଳା
ସଚିବ କହିଛନ୍ତି ଯେ ଶୋଭା ଯାତ୍ରା ତିନି ବର୍ଷ ଧରି କରାଯାଉଛି। ନୁହରେ ଶାନ୍ତି କମିଟି ତିଆରି ହୋଇଛି। ଅଞ୍ଚଳରେ ଶାନ୍ତି କାଏମ ରଖିବା ପାଇଁ ଏମାନେ ବୈଠକ କରନ୍ତି। ଯାତ୍ରା ପାଇଁ ଅନୁମତି ପଇଁ କମିଟିରେ ବୈଠକ ହୁଏ। ଶାନ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ଶୋଭାଯାତ୍ରା ବାହାରେ।
ସେହିପରି ହିଂସା ପରେ ଲୋକମାନଙ୍କର ପଳାୟନକୁ ନେଇ ହେଉଥିବା ଗୁଜବ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ ନୁହରୁ କେହି ଯାଉ ନାହାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଆମର କ୍ଷମତା ଅଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ଆମେ ସୁରକ୍ଷା ବାହିନୀଙ୍କୁ ଏୟାରଡ୍ରପ୍ କରିବାକୁ ପ୍ରସ୍ତୁତ ଅଛୁ। ଶୀଘ୍ର ମେୱାତରେ ସରକାର CRPF ଏବଂ RAFର ସ୍ଥାୟୀ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।