ତେଲେଙ୍ଗାନା ୩/୯: ନିଜ ଜୀବନକୁ ବାଜି ଲଗାଇ ୯ ଜଣଙ୍କ ଜୀବନ ମରଣ ମୁହଁରୁ ଟାଣିଆଣିଲେ । ସାହସିକ ପଦକ୍ଷେପ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଛି । ଲୋକମାନେ ତାଙ୍କୁ ରିୟଲ ହିରୋ କହି ପ୍ରଶଂସା କରୁଛନ୍ତି । ୟେ ହେଉଛନ୍ତି ହରିୟାଣାର ସତସତିକା ହିରୋ ଶୁଭନ ଖାନ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏବେ ବଢିଚାଲିଛି ବନ୍ୟା ବିତ୍ପାତ । ଯୁଆଡେ ଚାହିଁଲେ ପାଣି ଆଉ ପାଣି । ଘର ଦ୍ବାର ଗାଡି ମୋଟର ସବୁ ଭାସୁଛି ।
ଏମିତି ସ୍ଥିତିରେ ତେଲେଙ୍ଗାନାର ଖାମ୍ମାମ ଜିଲ୍ଲାର ମୁନ୍ନେରୁ ନଦୀ ଉପରେ ଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସିଯାଇଥିଲେ । ଚାରିଆଡେ ପାଣି ଥିବାରୁ ବାହାରି ନପାରି ଉଦ୍ଧାର ପାଇଁ ଚିତ୍କାର କରୁଥିଲେ । ନିଜ ଦୁର୍ଦ୍ଦଶାର ଏକ ଭିଡିଓ କରି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଖବର ମିଳିବା ପରେ ଉଦ୍ଧାର ପାଇଁ ରାଜ୍ୟ ସରକାର ହେଲିକପ୍ଟର ପଠାଇଥିଲେ ମଧ୍ୟ ଖରାପ ପାଗ ଯୋଗୁ ବ୍ରିଜ ପାଖରେ ପହଞ୍ଚିପାରିନଥିଲା ହେଲିକପ୍ଟର । ସମୟ ଗଡିବା ସହ ନଦୀର ଜଳସ୍ତର ବଢି ଚାଲିଲା । ଭୟଭୀତ ଓ ବିବ୍ରତ ହୋଇ ବ୍ରିଜ ଉପରେ ଥିବା ୯ ଜଣ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ ।
ପ୍ରଶାସନ ପହଞ୍ଚିବା ପୂର୍ବରୁ ସେଠାରେ ଝଡବେଗରେ ପହଞ୍ଚି ଯାଇଥିଲେ ହରିୟାଣାର ଶୁଭନ ଖାନ । ବୁଲଡୋଜର ଧରି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ । ବନ୍ୟା ଜଳରେ ପଶି ଯିବା ବେଶ କଷ୍ଟକର ଥିଲା । ବିପଦ ଥିବା କହି ଅନେକ ଲୋକ ତାଙ୍କୁ ସେଠାକୁ ନଯିବାକୁ ପରାମର୍ଶ ଦେଇଥିଲେ । ହେଲେ ଶୁଭନ କହିଥିଲେ ଯଦି ମୁଁ ମରଯିବି ଗୋଟିଏ ଜୀବନ ଯିବ ଯଦି ଫେରିଆସିବି ୯ ଜଣଙ୍କ ଜୀବନ ବଞ୍ଚାଇ ପାରିବି ।
ଏତିକି କହିବା ପରେ ସେ ବୁଲଡୋଜର ଧରି ବ୍ରିଜ ପାଖରେ ପହଞ୍ଚିଯାଇଥିଲେ । ଅତ୍ୟନ୍ତ ବିପଦଜନକ ଭାବରେ ବନ୍ୟା ପାଣିରେ ଆଗକୁ ବଢି ସେ ବିପନ୍ନଙ୍କ ପାଖରେ ପହଞ୍ଚିଯାଇଥିଲେ । ଆଉ ୯ ଜଣଙ୍କୁ ନିଜ ବୁଲଡୋଜରରେ ସୁରକ୍ଷିତ ଉଦ୍ଧାର କରି ଆଣିଥିଲେ । ଶୁଭନ ସମସ୍ତଙ୍କୁ ନେଇ ଫେରିବା ପରେ ସମସ୍ତେ ତାଳି ମାରି ସ୍ବାଗତ କରିଥିଲେ ।