ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍ ରୋହତକ ପିଜିଆଇରେ ଭର୍ତ୍ତି, ଦିଆଗଲା ପ୍ଲାଜମା ଥେରାପି

Published By : Prameya-News7 Bureau | December 14, 2020 IST

ରୋହତକ୍ ୧୪/୧୨ : ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ୍ ବିଜଙ୍କୁ ଅମ୍ବାଲା ଛାୱନି ସିଭିଲ୍ ହସପିଟାଲରୁ ପିଜିଆଇ ରୋହତକକୁ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ରୋହତକ୍ ପିଜିଆଇରେ ୨୪ ନମ୍ବର ୱାର୍ଡର ଆଇସୋଲେସନ୍ ଭିଆଇପି ରୁମ୍ ନମ୍ବର-୧୦୧ରେ କରୋନା ଚିକିତ୍ସା ଚାଲିଛି। ରବିବାର ରାତିରେ ଅନିଲ୍ ବିଜଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ମଲ୍ଟି ସ୍ପେସିଆଲିଟି ଡାକ୍ତରଙ୍କ ଟିମ୍ ଗଠନ କରାଯାଇଛି। ମେଦାନ୍ତା ହସ୍ପିଟାଲରୁ ମଧ୍ୟ କୋଭିଡ୍-୧୯ ଏକ୍ସପର୍ଟ ଡାକ୍ତରଙ୍କୁ ଡକାଯାଇଛି। ଏମ୍ସ ନିର୍ଦେଶକଙ୍କ ସହ ମଧ୍ୟ ପରାମର୍ଶ କରାଯାଇଛି। ବର୍ତ୍ତମାନ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିଛି।

ମନ୍ତ୍ରୀ ଅନିଲ୍ ବିଜଙ୍କ ଚିକିତ୍ସା ପାଇଁ ଗଠନ ହୋଇଥିବା ମଲ୍ଟି ସ୍ପେସିଆଲିଟି ଡାକ୍ତରଙ୍କ ଟିମରେ ଏମ୍ସ ନିର୍ଦ୍ଦେଶକ, ମେଦାନ୍ତା ହସ୍ପିଟାଲର ଡ.ସୁଶୀଳା, ପିଜିଆଇର ପିସିସିଏମ ବିଭାଗର ଏଚଓଡି ଡ.ଧ୍ରୁବ୍ ଚୌଧୁରୀ, ମେଡ଼ିସିନ୍ ବିଭାଗର ଏଚଓଡି ଡ.ବି.କେ କତ୍ୟାଲ, ଆନେସ୍ଥେସିଆ ବିଭାଗର ଡାକ୍ତର ସାମିଲ ଅଛନ୍ତି।

{"id":377158,"sizeSlug":"large","linkDestination":"none"}

ରବିବାର ସନ୍ଧ୍ୟାରେ ସମସ୍ତ ଚିକିତ୍ସକ ଏମ୍ସ ନିର୍ଦ୍ଦେଶକଙ୍କୁ ଫୋନରେ ଯୋଗାଯୋଗ କରି ପ୍ଲାଜମା ଥେରାପି ଦେବାକୁ ନେଇ ଚର୍ଚ୍ଚା କରିଥିଲେ। ସମସ୍ତଙ୍କ ସହମତି ପରେ ରବିବାର ରାତିରେ ମନ୍ତ୍ରୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଅନିଲ ବିଜ ସ୍ୱଇଚ୍ଛାରେ ଭାରତ ବାୟୋଟେକର କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଡୋଜ ନେଇଥିଲେ। ଭ୍ୟାକସିନ୍ ଡୋଜ୍ ନେବାପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଡିସେମ୍ବର ୪ ତାରିଖରେ ମନ୍ତ୍ରୀ ଟ୍ୱିଟ ଜରିଆରେ ସୂଚନା ଦେଇଥିଲେ। ପିଜିଆଇ ଡାକ୍ତର କହିଥିଲେ ଯେ, ଦ୍ୱିତୀୟ ଡୋଜ୍ ୨୮ ଦିନ ପରେ ଦିଆଯାଇଥାନ୍ତା ଏବଂ ଆଣ୍ଟିବଡ଼ି ଲେଭଲ୍ ୪୨ ଦିନ ପରେ ଜଣାପଡ଼ିଥାନ୍ତା। କିନ୍ତୁ ତା'ପୂର୍ବରୁ ମନ୍ତ୍ରୀ ସଂକ୍ରମିତ ହୋଇଗଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.