ପୁରୁଣା ପେନ୍ସନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ
19/02/2023 at 8:24 PM

ଚଣ୍ଡିଗଡ଼: ପୁରୁଣା ପେନ୍ସନ ସ୍କିମ୍ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ। ହରିୟାଣା ପଞ୍ଚକୁଲାରେ ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ବାସଭବନ ସମ୍ମୁଖରେ ରାଜ୍ୟର ସରକାରୀ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଘଟଣା ସ୍ଥଳରେ ବିପୁଳ ପୁଲିସ ମୁତୟନ କରାଯାଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପାଣିମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି।
ରାଜ୍ୟ ବିଜେପି ସରକାର ସରକାରୀ କର୍ମଚାରୀଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ପେନ୍ସନ ବହାଲି ସଂଘର୍ଷ ସମିତି ପ୍ରବକ୍ତା ପ୍ରବୀଣ ଦେଶୱାଲ୍ କହିଛନ୍ତି ” ଆଜିର ଆନ୍ଦୋଳନରେ ୭୦ ହଜାର ସରକାରୀ କର୍ମଚାରୀ ଏକତ୍ର ହୋଇଛନ୍ତି। ରାଜସ୍ଥାନରେ ପୁରୁଣା ପେନ୍ସନ ଯୋଜନା ଲାଗୁ ହୋଇଛି। ଏହି ବିଜେପି ସରକାର ସରକାରୀ କର୍ମଚାରୀଙ୍କ ସହ କଥା ଆଲୋଚନା କରନ୍ତି ନାହିଁ। ଆମେ ଆମର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବୁ।”
ଏହା ପୂର୍ବରୁ ରାଜସ୍ତାନ, ଛତିଶଗଡ଼ ଏବଂ ଝାରଖଣ୍ଡ ପୁରୁଣା ପେନ୍ସନ ଯୋଜନା ଲାଗୁ କରିବା ନେଇ କେନ୍ଦ୍ର ସରକାର ଓ ପେନସପନ ପୁଞ୍ଜି ନିୟାମକ ଓ ବିକାଶ ପ୍ରାଧିକାରଣ(PFRDA)କୁ ସୂଚନା ଦେଇସାରିଛନ୍ତି। ଯଦିଓ ପଞ୍ଜାବ ସରକାରୀ କର୍ମଚାରୀ ଜାତୀୟ ପେନ୍ସନ ଯୋଜନାରେ ଲାଭାନ୍ୱିତ ହେଉଛନ୍ତି ତେବେ ବି ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ପଞ୍ଜାବ ସରକାର ୧୮ ନଭେମ୍ବର ୨୦୨୨ରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।
ତେବେ ରାଜ୍ୟମାନଙ୍କର ଏଭଳି ପୁରୁଣା ପେନ୍ସନ ଯୋଜନାକୁ ଲାଗୁ କରିବା ନେଇ ଚିନ୍ତା ବ୍ୟକ୍ତ କରିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏହା ଜାତୀୟ ରାଜକୋଷ ଉପରେ ଚାପ ପକାଇବ ବୋଲି ଆର୍ବିଆଇ କହିଥିଲା।