ଚଣ୍ଡିଗଡ଼,୩୦/୦୯: ହରିୟାଣା ବିଧାନସଭା ଗଡ଼ ଜିତିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ରଣନୀତି । ଏନେଇ ବିରୋଧୀ ଦଳ ନେତା ବା କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ରାଲି ବଦଳରେ ରାଜ୍ୟରେ ଏକ ବିଜୟ ସଂକଳ୍ପ ରଥଯାତ୍ରା କରିବାକୁ ଯାଉଛନ୍ତି । ସୋମବାର ଅର୍ଥାତ୍ ଆଜିଠୁ ‘ଭାରତ ଯୋଡ଼ୋ ଯାତ୍ରା’ ଭଳି ହରିୟାଣାରେ ଏହି ଯାତ୍ରା ବାହାର କରିବେ ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧିଙ୍କ ବିଜୟ ସଂକଳ୍ପ ରଥଯାତ୍ରା ୭ଟି ବିଧାନସଭା ଅଞ୍ଚଳ ଦେଇଯିବ । ଏଥିରେ ନାରାୟଣଗଡ଼, ମୁଲାନା, ରାଦୌର, ଲାଡଓ୍ବା, ସଧୌରା, ପିପଲୀ ଏବଂ କୁରୁକ୍ଷେତ୍ର ବିଧାନସଭା ଆସନ ଫୋକସରେ ରହିବ । ରାହୁଲ ଗାନ୍ଧି ନିଜର ନିର୍ବାଚନୀ ପ୍ରଚାର ଅଭିଯାନ କରନାଲର ଅସନ୍ଧରୁ ଆରମ୍ଭ କରିବେ ।
ଅକ୍ଟୋବର ୫ରେ ଭୋଟିଂ ହେବାକୁ ଥିବାବେଳେ ରାହୁଲଙ୍କ ବିଜୟ ସଂକଳ୍ପ ରଥଯାତ୍ରା ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ଜିତିବାକୁ ଥିବା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଏହି ଯାତ୍ରା ଅନ୍ୟ ସ୍ଥାନକୁ ଯିବ ବୋଲି କୁହାଯାଉଛି । ତେବେ ଯାତ୍ରାର ବିସ୍ତୃତ ରୁଟ୍ ବାବଦରେ ସୂଚନା ଦିଆଯାଇନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସକୁ ଫାଇଦା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ହରିଆଣାରେ ବହୁସଂଖ୍ୟାରେ ଜନମତ ହାସଲ କରିବାକୁ କଂଗ୍ରେସ ଏପରି ମେଗା ପ୍ଲାନ୍ କରିଛି। ଏହି ଅଭିଯାନରେ କଂଗ୍ରେସ ନେତ୍ରୀ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ହୋଇପାରନ୍ତି ।