‘ଏହି ବର୍ଷ ଶେଷ ସୁଦ୍ଧା ଆସିଯିବ କରୋନା ଭାକସିନ’- ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
23/08/2020 at 12:01 PM

ନୂଆଦିଲ୍ଲୀ, ୨୩।୦୮: ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ କରୋନା ଭାକସିନ୍ । ଏନେଇ ଏନଡିଆରଏଫର ଅସ୍ଥାୟୀ ହସ୍ପିଟାଲ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ ।
ସେ କହିଛନ୍ତି ଯେ, କରୋନା ଭାକସିନ୍ ମଧ୍ୟରୁ ଗୋଟିଏ କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାକସିନ୍ ଆସିବ ବୋଲି ବିଶ୍ୱାସ ରହିଛି । ଦେଶରେ ଅଗଷ୍ଟ ମାସରେ ସୁସ୍ଥ ହାର ୭୫ ପ୍ରତିଶତ ରହିଛି । ଯାହା ଭଲ ଖବର । ୨୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଲେଣି ।
ସେ ଆହୁରି କହିଛନ୍ତି ଯେ, ଦେଶରେ ୧୫୦୦ଟି ସ୍ଥାନରେ କରୋନା ଟେଷ୍ଟ ହେଉଛି । ଦୈନିକ ୧୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି । ଅନେକ ଗବେଷକ କହୁଥିଲେ ଯେ, ଦେଶରେ ଜୁଲାଇ-ଅଗଷ୍ଟରେ ୩୦ କୋଟିରୁ ଅଧିକ ଲୋକ ସଂକ୍ରମିତ ହେବେ । ୫୦ରୁ ୬୦ ଲକ୍ଷ ମୃତ୍ୟୁବରଣ କରିବେ । କିନ୍ତୁ ଦେଶର ସ୍ୱାସ୍ଥ୍ୟସେବା ଉନ୍ନତ । ତେଣୁ ସ୍ଥିତି ଭଲ ରହିଥିବା ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ଯାଞ୍ଚ ପାଇଁ ୧୫୧୧ଟି ଲ୍ୟାବ୍ ରହିଛି । ଶୁକ୍ରବାର ୧୦ ଲକ୍ଷ ୨୦ ହଜାରରୁ ଅଧିକ ନମୁନା ଟେଷ୍ଟିଂ ହୋଇଛି । ୧୫ ହଜାର ହସ୍ପିଟାଲରେ ୧୫ ଲକ୍ଷରୁ ଅଧିକ ବେଡ୍ ରହିଛି । ଏହାସହ ଅସ୍ଥାୟୀ ଶିବିର ଆଦି ମିଶାଇଲେ ମୋଟ୍ ବେଡ୍ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେବ ।