ଦଶହରାରେ ରାବଣ ପୋଡ଼ି ବଦଳରେ ପତ୍ନୀ ପୀଡ଼ିତ ପୁରୁଷ ସଙ୍ଗଠନ କଲା ସୁପର୍ଣ୍ଣଖା ପୋଡ଼ି
20/10/2018 at 1:01 PM

ଔରଙ୍ଗାବାଦ ୨୦/୧୦: ଦଶହରାରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଅନୁଷ୍ଠିତ ହୋଇଥିବାବେଳେ ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟସ୍ଥ ଏକ ଗାଁରେ ଦେଖିବାକୁ ମିଳିଛି ସୁପର୍ଣ୍ଣଖା ପୋଡ଼ି। ସୁପର୍ଣ୍ଣଖା ହେଉଛନ୍ତି ଦଶାନନ ରାବଣର ଭଉଣୀ। ସୁପର୍ଣ୍ଣଖାକୁ ଶ୍ରୀରାମ-ଲକ୍ଷ୍ମଣ କରିଥିବା ଅପମାନର ପ୍ରତିଶୋଧ ନେବା ପାଇଁ ରାମ-ରାବଣ ଯୂଦ୍ଧ ହୋଇଥିଲା ଓ ରାବଣ ପ୍ରାଣ ହରାଇଥିଲେ। ଏଥିପାଇଁ ସୁପର୍ଣ୍ଣଖା ହିଁ ସୀତା ହରଣ ଓ ରାବଣ ମରଣ ପାଇଁ ଦାୟୀ ବୋଲି ଔରଙ୍ଗାବାଦର ଏକ ସ୍ତ୍ରୀ ‘ନିର୍ଯ୍ୟାତିତ ସ୍ବାମୀ ସମାଜ’ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଉ ଖାସ୍ ଏଥିପାଇଁ ରାବଣ ପୋଡ଼ି ନକରି ନିର୍ଯ୍ୟାତନା ଦେଉଥିବା ଏବଂ ଭୁଲ୍ ବାଟରେ ଯାଉଥିବା ସ୍ତ୍ରୀମାନଙ୍କ ପ୍ରତୀକ ସୁପର୍ଣ୍ଣଖାକୁ ପୋଡ଼ିଛି ଏହି ସମାଜ। ସଂସ୍ଥାର ମୁଖ୍ୟ କହିଛନ୍ତି ଯେ, ପାରିବାରିକ କଳହରୁ ହେଉଥିବା ଆତ୍ମହତ୍ୟା ଘଟଣାକୁ ଯଦି ବିଚାରକୁ ନିଆଯାଏ ତାହେଲେ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ସର୍ବାଧିକ ୭୪ପ୍ରତିଶତ। ଛୋଟ ଛୋଟ କଥାରେ ସ୍ତ୍ରୀମାନେ ସ୍ବାମୀ ଓ ଶ୍ବଶୁରାଳୟର ଲୋକଙ୍କୁ ନିର୍ଯ୍ୟାତନା ଦେବା ଘଟଣା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଯେତେ ଆଇନ୍ ରହିଛି ସବୁ ସ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ । କିନ୍ତୁ ସ୍ତ୍ରୀମାନେ ଏହି ଆଇନର ଢ଼ାଲରେ ସବୁ ପ୍ରକାର କୁକର୍ମ କରୁଛନ୍ତି। ସଂପ୍ରତି ଦେଶରେ ଚାଲିଥିବା ‘ମି ଠୁ’ ଅଭିଯାନକୁ ମଧ୍ୟ ଏହି ସଙ୍ଗଠନ ସମାଲୋଚନା କରିଛି।
ଔରଙ୍ଗାବାଦର କରୋଲିଠାରେ ଏହି ସୁପର୍ଣ୍ଣଖା ପୋଡ଼ି ଉତ୍ସବ ଆୟୋଜନ ହୋଇଥିଲା। ପ୍ରତ୍ୟେକ ବର୍ଷ ଏହି ଉତ୍ସବ ପାଳିତ ହେବବୋଲି ପତି ପୀଡ଼ିତ ପୁରୁଷ ସଙ୍ଗଠନର ପ୍ରତିଷ୍ଠାତା ଭାରତ ଫୁଲାରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିତୃପକ୍ଷ ଓ ମହାଳୟା ସମୟରେ ଏହି ସଙ୍ଗଠନ ନାସିକଠାରେ ନିଜ ନିଜର ଜୀବିତ ପତ୍ନୀଙ୍କୁ ପିଣ୍ଡ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପାଖାପାଖି ୧୦୦ଜଣ ପତ୍ନୀ ପୀଡ଼ିତ ପୁରୁଷ ସେମାନଙ୍କ ଜୀବିତ ପତ୍ନୀମାନଙ୍କୁ ପିଣ୍ଡ ପ୍ରଧାନ କରିଥିଲେ।