ବିଜେପିରେ ଶୀଘ୍ର ଯୋଗ ଦେବେ ହାର୍ଦ୍ଦିକ ପଟେଲ୍, ନିଜେ ତାରିଖ ଜଣାଇଲେ ପାଟିଦାର ନେତା
27/05/2022 at 10:33 PM

ନୂଆଦିଲ୍ଲୀ: ଶୀଘ୍ର ପଦ୍ମ ଧରି ପାରନ୍ତି କଂଗ୍ରେସ ଛାଡିଥିବା ଗୁଜରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ୍। ମିଡିଆ ସୂତ୍ର ଅନୁଯାୟୀ, ହାର୍ଦ୍ଦିକଙ୍କ ବିଜେପିରେ ଯୋଗ ଦେବା ନେଇ ତାରିଖ ମଧ୍ୟ ସ୍ଥିର ହୋଇ ଯାଇଛି। ଆସନ୍ତା ତିନିରୁ ଚାରି ଦିନ ଭିତରେ ହାର୍ଦ୍ଦିକ ପଦ୍ମ ଧରିବେ। ଏକ ଟିଭି ସାକ୍ଷାତକାରରେ ହାର୍ଦ୍ଦିକ ଖୋଦ୍ ଜଣାଇଛନ୍ତି ଯେ, ଏହି ତାରିଖରେ ସେ ବିଜେପିରେ ଯୋଗ ଦେବେ।
କଂଗ୍ରେସରୁ ବାହାରିବା ପରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ୍ ସମସ୍ତ ବିରୋଧ ମଧ୍ୟରେ ବିଜେପିରେ ଯୋଗ ଦେଇ ପାରନ୍ତି। ଗୁଜରାଟରେ ଅନ୍ୟ ପାଟିଦାର ମଧ୍ୟ ବିଜେପିରେ ପୂର୍ବରୁ ମିଶି ସାରିଛନ୍ତି। ହେଲେ ସେମାନେ ହାର୍ଦ୍ଦିକଙ୍କ ବିଜେପିରେ ସାମିଲ୍ ନେଇ ଖୁସି ନାହାନ୍ତି। ଏହି ସବୁ ନେତାଙ୍କ ବିରୋଧ ମଧ୍ୟରେ ହାର୍ଦ୍ଦିକ ପଟେଲ୍ ନିଜେ ଦାବି କରିଛନ୍ତି ଯେ, ସେ ମେ ୩୦ କିମ୍ବା ୩୧ ତାରିଖରେ ବିଜେପିରେ ଯୋଗ ଦେବେ।
ଏବିପି ନ୍ୟୁଜ୍ର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପଟେଲ୍ ଜୁନ ପୂର୍ବରୁ ବିଜେପିରେ ସାମିଲ୍ ହେବେ। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କ ବିଜେପିରେ ପ୍ରବେଶ ଦଳ ପାଇଁ କେତେ ଫଳଦାୟୀ ଏବଂ କ୍ଷତିକାରକ ହେବ ତାହା ସମୟ କହିବ। ହାର୍ଦ୍ଦିକ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଥିଲେ।