କଂଗ୍ରେସ ଉପରେ ବର୍ଷିଲେ ହାର୍ଦ୍ଦିକ ପଟେଲ, କହିଲେ-ହିନ୍ଦୁଙ୍କ ଭାବନାକୁ ଆଘାତ କରୁଛି ଦଳ
24/05/2022 at 7:33 PM

ଅହମଦାବାଦ: ମଙ୍ଗଳବାର କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଦଳରୁ ନିକଟରେ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ। ସେ କହିଛନ୍ତି କଂଗ୍ରେସ ଦଳ ଲୋକଙ୍କ ଭବନାକୁ ଆଘାତ ପହଞ୍ଚାଉଛି ଏବଂ ହିନ୍ଦୁଙ୍କ ଆସ୍ଥାକୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରୁଛି। ଏହାସହ ସେ ଗୁଜରାଟର ଜଣେ କଂଗ୍ରେସ ନେତାଙ୍କ ବୟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ହାର୍ଦ୍ଦିକ ପଟେଲ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି କଂଗ୍ରେସ ଜନତାଙ୍କ ଭାବନାକୁ ଆଘାତ ପହଞ୍ଚାଇବାର କାମ କରୁଛି, ସବୁବେଳେ ହିନ୍ଦୁଙ୍କ ଆସ୍ଥାକୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରୁଛି। ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଗୁଜରାଟ କଂଗ୍ରେସର ନେତା ବୟାନ ଦେଇଛନ୍ତି, ରାମ ମନ୍ଦିରର ଇଟା ଗୁଡିକରେ କୁକୁର ପରିଶ୍ରା କରନ୍ତି। ତେବେ ସେହି ନେତାଙ୍କ ନାଁ ନେଇ ନାହାନ୍ତି ହାର୍ଦ୍ଦିକ ପଟେଲ।
मैंने पहले भी कहा था की कांग्रेस पार्टी जनता की भावनाओं को ठेस पहुँचाने का काम करती है, हमेशा हिंदू धर्म की आस्था को नुक़सान पहुँचाने का प्रयास करती हैं। आज पूर्व केन्द्रीय मंत्री और गुजरात कांग्रेस के नेता ने बयान दिया की राम मंदिर की ईंटों पर कुत्ते पेशाब करते हैं..!
— Hardik Patel (@HardikPatel_) May 24, 2022
ଏହାସହ ପଟେଲ ଲେଖିଛନ୍ତି, ‘ମୁଁ କଂଗ୍ରେସ ଏବଂ ତାଙ୍କ ନେତାଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ ଭଗବାନ ରାମ ସହ ଆପଣଙ୍କ କେଉଁ ଶତ୍ରୁତା ରହିଛି ? ହିନ୍ଦୁଙ୍କୁ ଏତେ ଘୃଣା କାହିଁକି କରୁଛ ? ଶହ ଶହ ବର୍ଷ ପରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେଉଛି ତଥାପି କଂଗ୍ରେସର ନେତା ଭଗବାନଙ୍କ ରାମ ବିରୁଦ୍ଧରେ ଆପତ୍ତିଜନକ ବୟାନ ଦେଉଛନ୍ତି’।
ହାର୍ଦ୍ଦିକ ପଟେଲ ମେ ୧୮ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ସେ କହିଥିଲେ ଯେ, କଂଗ୍ରେସ କେବଳ ଏକ ବିରୋଧର ରାଜନୀତି ଯାଏଁ ସୀମିତ ହୋଇ ରହିଛି, ଦେଶବାସୀଙ୍କୁ ବର୍ତ୍ତମାନ ସମୟରେ ବିରୋଧ ନୁହେଁ ବରଂ ବିକଳ୍ପ ଦରକାର ଯିଏ ସେମାନଙ୍କ ଭବିଷ୍ୟତ ବାବଦରେ ଚିନ୍ତା କରିବ ଏବଂ ଦେଶକୁ ଆଗକୁ ନେବାର କ୍ଷମତା ରଖୁଥିବ।