ଯାହା କରିପାରିନଥିଲେ ଧୋନୀ-କୋହଲି, ତାହା କରି ଦେଖାଇଲେ ପାଣ୍ଡ୍ୟା

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ,୨୭/୦୬:  ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା କରିନେଇଥିଲା । ତେବେ ଏହି ମୁକାବିଲାରେ ଅଧିନାୟକ ପାଳି ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାସହ ସେ ମୁକାବିଲାରେ ଏକ ବଡ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ପାଣ୍ଡ୍ୟା ପ୍ରଥମେ ଅଧିନାୟକ ଭାବେ ପ୍ରଥମ ମୁକାବିଲାରେ ଟସ୍ ଜିତିଥିଲେ । ଏହାପରେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଏକ ବଡ ରେକର୍ଡ । କାରଣ ସେ ନିଜର ପ୍ରଥମ ଓଭରରେ ପଲ୍ ଷ୍ଟର୍ଲିଙ୍ଗଙ୍କ ଓ୍ୱିକେଟ୍ ନେଇଥିଲେ । ସେ ଟି୨୦ କ୍ରିକେଟରେ ଓ୍ୱିକେଟ୍ ନେଇଥିବା ଭାରତର ପ୍ରଥମ ଅଧିନାୟକ ହୋଇପାରିଛନ୍ତି ।

ଟି୨୦ରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ନବମ ଅଧିନାୟକ ହେଲେ ପାଣ୍ଡ୍ୟା । ଏହାପୂର୍ବରୁ ଯିଏ ବି ଅଧିନାୟକ ଥିଲେ ସେମାନେ ଅଧିନାୟକ ଭାବେ ଓ୍ୱିକେଟ୍ ନେଇପାରିନଥିଲେ । ପାଣ୍ଡ୍ୟା ଏହି ମୁକାବିଲାରେ ୨ ଓଭର ବୋଲିଂ କରି ୨୬ ରନ୍ ଦେବାସହ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ନେତୃତ୍ୱ ସମ୍ଭାଳୁଥିବା ପାଣ୍ଡ୍ୟା ନିଜର ପଦାର୍ପଣରେ କମାଲ୍ କରିଥିଲେ । ତାଙ୍କ ଦମରେ ଗୁଜୁରାଟ ଆଇପିଏଲ ଚାମ୍ପିଅନ ହୋଇଥିଲା । ତେଣୁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଆୟର୍ଲାଣ୍ଡ ଗସ୍ତ ପାଇଁ ତାଙ୍କୁ ବୋର୍ଡ ଅଧିନାୟକ ଭାର ଦେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.