କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ଦେଲେ ଇସ୍ତଫା, ଏବେ କଣ କରିବେ ମୁଖ୍ୟମନ୍ତ୍ରୀ କମଲନାଥ ?
5/03/2020 at 9:03 PM

ଭୋପାଳ ୦୫।୦୩- ମଧ୍ୟ ପ୍ରଦେଶର କମଲନାଥ ସରକାରଙ୍କ ମୁସ୍କିଲ ବାସ୍ତବରେ ବଢିବାରେ ଲାଗିଛି। ମନ୍ଦସୋରର ସୁଭସରା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ଗୁରୁବାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଯୋଗାଡର ବହୁମତରେ ଚାଲିଥିବା କମଲନାଥ ସରକାର ପାଇଁ ବିଧାୟକଙ୍କ ଏହି ଇସ୍ତଫା ବିପଦର ଘଣ୍ଟି ସଦୃଶ ହୋଇଛି। ଯଦି ଆଉ କିଛି ବିଧାୟକ ଇସ୍ତଫା ଦିଅନ୍ତି ତେବେ ବହୁମତ ସଂଖ୍ୟା ହ୍ରାସ ପାଇବ ଏବଂ କମଲନାଥ ସରକାର ଭାଙ୍ଗିଯିବ।
ହରଦୀପ ସିଂହ ଡଙ୍ଗ ସେହି ଚାରି ବିଧାୟକଙ୍କ ମଧ୍ୟରେ ସାମିଲ ଯାହାଙ୍କୁ ବେଙ୍ଗାଲୁରୁ ନିଆଯିବାର କଥା କୁହାଯାଉଥିଲା। କଂଗ୍ରେସର ଆରୋପ, ବିରୋଧୀ ବିଜେପି ଘୋଡା ବେପାର କରି କମଲନାଥ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଅନ୍ୟପଟେ ବିଜେପିର କହିବା କଥା କଂଗ୍ରେସ ଭିତରେ ଏତେ ଗୋଷ୍ଠୀ ଅଛନ୍ତି ଯେ, ସେମାନେ ପରସ୍ପରକୁ ନିଚ୍ଚ ଦେଖାଇବା ଲାଗି ଜୁଟି ଯାଇଛନ୍ତି।

ଗାଏବ ଥିଲେ ନଅ ବିଧାୟକ, ଫେରିଛନ୍ତି ପାଞ୍ଚ
ଏହା ପୂର୍ବରୁ ମଙ୍ଗଳବାର ବିଳମ୍ଵିତ ରାତିରେ ମଧ୍ୟ ପ୍ରଦେଶରେ ରାଜନୈତିକ ଡ୍ରାମା ସେହି ସମୟରେ ଦେଖିବାକୁ ମିଳିଥିଲା ଯେବେ, ମଧ୍ୟ ପ୍ରଦେଶରେ କଂଗ୍ରେସ, ବିଏସପି ଓ ଏସପିର ମୋଟ୍ ନଅ ବିଧାୟକ ଅଚାନକ ଗାଏବ ହୋଇ ଯାଇଥିଲେ। ସେଥି ମଧ୍ୟରୁ ପାଞ୍ଚ ବିଧାୟକ ବୁଧବାର ବିଳମ୍ବିତ ରାତି ସୁଦ୍ଧା ଭୋପାଳ ଫେରି ଆସିଛନ୍ତି। ମାତ୍ର ଚାରି ଜଣ ବିଧାୟକଙ୍କ ବିଷୟରେ କୌଣସି ସୂଚନା ମିଳି ପାରିନାହିଁ। ଗଣମାଧ୍ୟମର ସୂଚନା ଅନୁଯାୟୀ ଚାରି ବିଧାୟକଙ୍କ ମଧ୍ୟରେ କଂଗ୍ରେସର ବିସାହୁଲାଲ, ହରଦୀପ ସିଂହ ଡଙ୍ଗ, ରଘୁରାଜ କସାନା ଓ ନିର୍ଦ୍ଦଳୀୟ ସୁରେନ୍ଦ୍ର ସିଂହ ସେରା। ଏବେ ଏମାନଙ୍କ ମଧ୍ୟରୁ ହରଦୀପ ସିଂହ ଡଙ୍ଗ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।
ଦିଗବିଜୟ ଓ ସିନ୍ଧିଆଙ୍କ ନିକଟତର ବିଧାୟକ ଫେରିଛନ୍ତି
ଯେଉଁ ଛଅ ଜଣ ବିଧାୟକ ଫେରି ଆସିଛନ୍ତି, ସେମାନଙ୍କ ମଧ୍ୟରେ କଂଗ୍ରେସର ୩, ବିଏସପିର ୨ ଓ ଏସପିର ଜଣେ ବିଧାୟକ ରହିଛନ୍ତି। ଏଥିରୁ ୩ ଜଣ ଦିଗବିଜୟଙ୍କ ନିକଟତର ଏବଂ ବାକି ଦୁଇ ଜଣ ବିଧାୟକ ମନ୍ତ୍ରୀ ପଦ ନମିଳିବା ନେଇ ଅସନ୍ତୁଷ୍ଟ ଅଛନ୍ତି। ଜଣେ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିକଟତର ହୋଇଥିବା କୁହାଯାଉଛି। ପାର୍ଟି ସହ ଜଡିତ ଲୋକଙ୍କ କହିବା କଥା କମଲନାଥ ସରକାରରେ ମୋଟ୍ ୧୪ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି, ଯାହାଙ୍କ ଉପରେ ବିଜେପି ନଜର ରଖିଛି।