ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ରେ ଚାଲିଛି ବେଆଇନ କାର୍ଯ୍ୟ; ଚିଠି ଲେଖି ଅଭିଯୋଗ ଆଣିଲେ ହରଭଜନ ସିଂହ

Published By : Prameya-News7 Bureau | October 07, 2022 IST

ଚଣ୍ଡିଗଡ଼: ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌(ପିସିଏ)ରେ ଚାଲିଛି ବେଆଇନ କାମ। ନୂଆ ସଦସ୍ୟ ପଦ ପାଇଁ ଅଫରରେ ବେଆଇନ କାର୍ଯ୍ୟ କରୁଛନ୍ତି ପିସିଏ ଅଧ୍ୟକ୍ଷ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବ କ୍ରିକେଟ ଆସୋସିଏସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ସ୍ପିନର ହରଭଜନ ସିଂହ। ବେଆଇନ କାର୍ଯ୍ୟ ରୋକିବାକୁ ସେ ପିସିଏର ସମସ୍ତ କର୍ମକର୍ତ୍ତାଙ୍କୁ ଦୃଢ଼ ଭାବେ ଛିଠି ଲେଖି ଜଣାଇଛନ୍ତି। ପିସିଏର ଅଖଣ୍ଡତା ବଜାଇ ରଖିବା ପାଇଁ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଆଗେଇ ଆସିବ ଦରକାର ବୋଲି ହରଭଜନ ଚିଠିରେ କହିଛନ୍ତି।

ବିଶ୍ୱକପ୍‌ ବିଜେତା ଟିମ୍‌ର ସ୍ପିନର ତଥା ରାଜ୍ୟସଭା ସାଂସଦ ଥିବା ହରଭଜନ ସିଂହ କହିଛନ୍ତି ଯେ ସେ ଗତ ୧୦ ଦିନ ହେଲା ପିସିଏ ଅଧ୍ୟକ୍ଷ ଗୁଲଜରିନ୍ଦର ସିଂହ ଚହଲଙ୍କ ବିରୋଧରେ ଅଭିଯୋଗ ଶୁଣିଆସୁଛନ୍ତି। ଚହଲ ବେଆଇନ୍ କାର୍ଯ୍ୟର ସାହାର ନେଉଛନ୍ତି ବୋଲି ହରଭଜନଙ୍କ ପାଖରେ ଅଭିଯୋଗ ହୋଇଛି। ଯାହା କ୍ରିକେଟ୍ ପ୍ରଶାସନ ଏବଂ ସ୍ୱଚ୍ଛତା ବିରୋଧୀ ବୋଲି ହରଭଜନ ସିଂହ କହିଛନ୍ତି। ଏନେଇ ଗତକାଲି ଲୋକପାଳରେ ଅଭିଯୋଗ ଦାୟର କରାଯାଇଛି ବୋଲି ହରଭଜନ ଚିଠିରେ ଉଲ୍ଲେଖ କରିଛନ୍ତି।

ହରଭଜନ କହିଛନ୍ତି ଯେ ସମସ୍ୟାର ମୂଳ କାରଣ ହେଲା ପିସିଏ ୧୫୦ ସଦସ୍ୟଙ୍କୁ ଭୋଟିଂ ଅଧିକାର ସହିତ ସାମିଲ କରିବାକୁ କଡ଼ା ଉଦ୍ୟମ କରୁଛି। ଯେମିତି ନିଜ ସପକ୍ଷରେ ଭୋଟ୍ ହେଇ ସନ୍ତୁଳନ ରକ୍ଷା କରିପାରିବ ଏଥିପାଇଁ ପିସିଏ ଚେଷ୍ଟା କରୁଛି। ତେବେ ସଦସ୍ୟ ସାମିଲ୍ କରିବା ନେଇ ସର୍ବୋଚ୍ଚ କମିଟି ତଥା ସାଧାରଣ କମିଟିକୁ ନ ଜଣାଇ କରାଯାଉଛି ବୋଲି ହରଭଜନ କହିଛନ୍ତି। ଏମିତିକି ସେ ଉପଦେଷ୍ଟା ହୋଇଥିଲେ ବି ତାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇ ନାହିଁ ବୋଲି ହରଭଜନ କହିଛନ୍ତି।

ଏଭଳି କାର୍ଯ୍ୟ ବିସିସିଆଇ ସମ୍ବିଧାନ, ପିସିଏ ଗାଇଡ୍‌ଲାଇନ ବିରୋଧରେ ହୋଇଥିବା ବେଳେ ସ୍ୱଚ୍ଛତା ନିୟମର ଉଲ୍ଲଂଘନ ବୋଲି ହରଭଜନ ଅଭିଯୋଗ କରିଛନ୍ତି। ବେଆଇନ କାର୍ଯ୍ୟକୁ ଲୁଚାଇବାକୁ ପାଇଁ ସେମାନେ ପିସିଏର କୌଣସି ବୈଠକ ନ ଡାକି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୂରା କରିବାକୁ ସମସ୍ତ ନିଷ୍ପତ୍ତି ନିଜେ ନିଜେ ନେଇଯାଉଛନ୍ତି ବୋଲି ହରଭଜନ ଅଭିଯୋଗ କରିଛନ୍ତି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.