ଆଜି ହେଉଛି ମାତୃ ଦିବସ, ବଞ୍ଚିବାର ରାହା ଦେଖାଇଥିବା ସବୁ ମାଆଙ୍କୁ କୋଟି କୋଟି ପ୍ରଣାମ…

Published By : Prameya-News7 Bureau | May 12, 2024 IST

ଭୁବନେଶ୍ଵର ୧୨।୦୫: ମାଆ । ସେ ସର୍ବଂ ସ୍ୱାହା । ମା' ଶବ୍ଦର ନାହିଁ ତୁଳନା । ମାଆ ଓ ମାତୃଭୂମି ସ୍ୱର୍ଗଠାରୁ ବଡ । ସେ ମହାନ । ତାର ଭଲପାଇବା ସନ୍ତାନ ପ୍ରତି ବାତ୍ସଲ୍ୟ ଓ ଅତୁଳନୀୟ । ସନ୍ତାନଟିଏ ଜନ୍ମ ହେବା ପରଠୁ ଆରମ୍ଭ ହୁଏ ତାର ଦୁଃଖ ଯନ୍ତ୍ରଣା । ପିଲାଟି ବଡ ହେବା ପରେ ବି ଅହନିଶି ଲାଘବ ହୁଏନି ତାର କଷ୍ଟ । ତଥାପି ଏହି କଷ୍ଟକୁ ଭୁଲି ମାଆ କରିଚାଲେ ତାର କର୍ତ୍ତବ୍ୟ । ସନ୍ତାନର ଲାଳନ ପାଳନରେ କେବ କରେନି ଅବହେଳା । କାରଣ ମାଆଠୁ ବଡ କେହି ନାହିଁ । ପ୍ରତିଟି ମାଆର ସଂଘର୍ଷ କାହାଣୀକୁ ନେଇ ଆମର ଏହି ବିଶେଷ ଉପସ୍ଥାପନା । 

ମେ ମାସର ଦ୍ୱିତୀୟ ରବିବାର । ଅର୍ଥାତ୍ ମାଆ ପାଇଁ ଦିନଟିଏ । ମାଆ ପାଇଁ ତ ସବୁଦିନ ସମାନ । ତଥାପି ସେହି ସ୍ୱର୍ଗା ଦପୀ ଗରିୟସୀ ପାଇଁ ଖାସଦିନଟି । ପ୍ରତି ପିଲାଟିଏ ପାଇଁ ତା ମାଆ ସୁପରମମ୍ । ଯେତେ ଯାହା ବିପଦ ଆସିଲେ ସେ ଚଟାଣ ଭଳି ହୋଇଯାଏ ଛିଡା । ମାଆ କେବେ କିଛି ଇଛା କରେନି କି ମାଗେନି । ସର୍ବଦା ଇଛା ଥାଏ ମୋର ନୟନ ପିତୁଳାଟି ଖୁସିଖୁସିରେ ରହୁ । ଏମତିକି ସବୁ ଦୋଷ ଦୁର୍ବଳତା ଲୁଚାଇବାରେ ପଞ୍ଚଘୁଞ୍ଚା ଦିଏନି ମାଆ । 


ମା' ଶବ୍ଦରେ ରହିଛି ଆତ୍ମୀୟତା । ସେଥିପାଇଁ ସବୁଠି ଚାଲିଛି ସେଲିବ୍ରେସନ । ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ଏହି ପରମ୍ପରା । ଆମେରିକାର ଏନା ଜର୍ବିସ ନାମ୍ନୀ ମହିଳା ଆରମ୍ଭ କରିଥିଲେ ମଦର୍ସ ଡେ ସେଲିବ୍ରେସନ । ଏବେ ଏହା ସାରା ବିଶ୍ୱକୁ ବ୍ୟାପିଗଲାଣି । ଦୁନିଆର ପ୍ରତି କୋଣ ଅନୁକୋଣରେ ପାଳନ ହେଉଛି ପ୍ରତିଟି ମାଆର ତ୍ୟାଗ ଓ ବଳିଦାନ। ସେସବୁକୁ ମନେପକାଇବାକୁ ହେଉଛି ସେଲିବ୍ରେସନ । 

ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ । କହିବା ଆଗରୁ ବୁଝିଯାଏ, କିଛି ନ କହି, ଯେ ସବୁ କିଛି ସହିଯାଏ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା, ସେ ମାଆ । କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ । ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ନିଜକୁ ସମର୍ପି ଦେଇଥାଏ ସେ ମାଆର ତ୍ୟାଗ, ବଳିଦାନକୁ କେମିତି ବା ଭୁଲିବ ସନ୍ତାନ । ଶେଷରେ ବଞ୍ଚିବାର ରାହା ଦେଖାଇଥିବା ସବୁ ମାଆଙ୍କୁ କୋଟି କୋଟି ପ୍ରଣାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.