scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

HBD Ganguly : ଗଡ୍‌ ଅଫ୍‌ ଅଫସାଇଟ୍‌ଙ୍କ ନିଆରା କାହାଣୀ, ଅଟକାଇଥିଲେ ଅଷ୍ଟ୍ରେଲିଆର ବିଜୟ ରଥ…

8/07/2023 at 9:24 AM

କୋଲକାତା ୦୮।୦୭ : ହାପି ବର୍ଥ ଡେ’ ଦାଦା । ମଡର୍ଣ୍ଣ ଟିମ୍‌ ଇଣ୍ଡିଆର ଗଠନର ସୁତ୍ରଧାର । ମ୍ୟାଚ୍‌ ଫିକ୍ସିଂ , ବିଦେଶ ମାଟିରେ ପରାଜୟ ପରି ସମସ୍ୟା ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆକୁ ନୂଆ ଦିଗରେ ନେଇଥିବା ଖେଳାଳି । ୮ ଜୁଲାଇ ୧୯୭୨ରେ କୋଲକାତାରେ ଜନ୍ମ ନେଇଥିଲେ ପ୍ରିନ୍ସ ଅଫ୍‌ କୋଲକାତା ଓରଫ ସୌରଭ ଚଣ୍ଡି ଦାସ୍‌ ଗାଙ୍ଗୁଲି ।

ଲର୍ଡ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଗାଙ୍ଗୁଲି । ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିଲେ ଗାଙ୍ଗୁଲି । ଏହାପରେ ୧୯୯୨ରେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିନଥିଲେ ଗାଙ୍ଗୁଲି । ପରେ ୨୦୦୦ ମସିହାରେ ଯୁବ ଗାଙ୍ଗୁଲିଙ୍କ କାନ୍ଧକୁ ମିଳିଲା ବଡ଼ ଦାୟିତ୍ୱ । ଟିମ୍‌ ଇଣ୍ଡିଆର ନୂଆ କ୍ୟାପଟେନ୍‌ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଗାଙ୍ଗୁଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଲଗାତର ଭାବେ ଭଲ ପ୍ରଦର୍ଶନ କରିବାକୁ ଲାଗିଥିଲା । ଏପିରିକି ଦିନେ ବିଦେଶ ମାଟିରେ ଜିତିପାରୁନଥିବା ଦଳ , ଏବେ ବିରୋଧୀଙ୍କ ତାଙ୍କ ଦେଶରେ ଚକ୍‌ମା ଦେବା ଆରମ୍ଭ କରିଥିଲା ।

ଗାଙ୍ଗୁଲି ୧୪୬ଟି ଦିନିକିଆ ମ୍ୟାଚ୍‌ କ୍ୟାପ୍‌ଟେନ୍‌ସିପ୍‌ କରି ୭୬ଟିରେ ବିଜୟୀ ହୋଇଥିବା ବେଳେ ୬୫ଟିରେ ପରାଜୟର ସାମ୍ନା କରିଥିଲେ । ବାକି ୫ଟି ମ୍ୟାଚ୍‌ର କୌଣସି ରେଜଲ୍ଟ ବାହାରିନାହିଁ । ଦିନିକିଆରେ ଗାଙ୍ଗୁଲିଙ୍କ ବିଜୟ ପ୍ରତିଶତ ୫୩.୯୦ ରହିଛି । ସେହିପରି ୪୯ଟି ଟେଷ୍ଟର ଅଧିନାୟକ କରି ୨୧ଟି ବିଜୟୀ ହୋଇଥିବା ବେଳେ ୧୩ଟିରେ ପରାସ୍ତ ହୋଇଛି । ବାକି ୧୫ଟି ମ୍ୟାଚ୍‌ ଡ୍ର ରହିଛି । ଟେଷ୍ଟରେ ଗାଙ୍ଗୁଲିଙ୍କ ବିଜୟ ପ୍ରତିଶତ ୪୨.୮୫ ରହିଛି ।

ତେବେ ଗାଙ୍ଗୁଲିଙ୍କ ଅଧିନାୟକ ସମୟରେ ଅନେକ ଯୁବ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା । ବିରେନ୍ଦ୍ର ସେହଓ୍ୱାଗ, ହରଭଜନ ସିଂହ, ଯୁବରାଜ ସିଂହ, ମହେନ୍ଦ୍ର ସିଂହ ଧୋନି, ଜାହିର ଖାନ୍‌, ଆଶିଷ ନେହେରା ପରି ଖେଳାଳି ରହିଥିଲେ । ଆଗାମୀ ଦିନରେ ଏହି ସବୁ ଖେଳାଳିମାନେ ଭାରତୀୟ ଟିମ୍‌ ପାଇଁ ମ୍ୟାଚ୍‌ ଓ୍ୱିନର ସାବ୍ୟସ୍ତ ହୋଇଥିଲେ । ଗାଙ୍ଗୁଲିଙ୍କ ସ୍ମରଣୀୟ ମ୍ୟାଚ୍‌ ବିଜୟ ମଧ୍ୟରେ ୧୩ ଜୁଲାଇ ୨୦୦୨ର ନାଟଓ୍ୱେଷ୍ଟ ସିରିଜ୍‌ ଫାଇନାଲ ରହିଛି । ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଲର୍ଡସ ଗ୍ରାଉଣ୍ଡରେ ଗାଙ୍ଗୁଲି ନିଜ ଟି-ସାର୍ଟ ଖୋଲି ଉଡାଇଥିଲେ ।

ସୌରଭ ଗାଙ୍ଗୁଲି ଦିନେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ୱଙ୍କ ଗର୍ବ ଭାଙ୍ଗିଥିଲେ । ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ପାଇଁ ଷ୍ଟିଭ୍‌ ଓ୍ୱଙ୍କୁ ଅପେକ୍ଷା କରିବାକୁ ପଡିଥିଲା । କାହିଁକି ନା ପଡିଆକୁ ଗାଙ୍ଗୁଲି ବିଳମ୍ବରେ ଆସିଥିଲେ । ଏହା ଦେଖି ଷ୍ଟିଭ୍‌ ଓ୍ୱ ଖୁବ୍‌ ରାଗିଯାଇଥିଲେ ।

ସେହିପରି ଦିନେ ଅଷ୍ଟ୍ରେଲିଆ ଟିମ୍‌ର ବିଜୟ ରଥକୁ ଅଟକାଇଥିଲେ ଗାଙ୍ଗୁଲି । ଅଷ୍ଟ୍ରେଲିଆ ଟିମ୍‌ ଲଗାତର ଭାବେ ୧୬ଟି ଟେଷ୍ଟ ମ୍ୟାଚ୍‌ ଜିତିସାରିଥିଲା । ଆଉ ଗୋଟିଏ ମ୍ୟାଚ୍‌ ଜିତିଥିଲେ ଅଷ୍ଟ୍ରେଲିଆ ଟିମ୍‌ ନାଁରେ ଆଉ ରେକର୍ଡ ଯୋଡି ହୋଇଥାନ୍ତା । କିନ୍ତୁ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆର ଏହି ବିଜୟ ରଥକୁ ଅଟକାଇ ଦେଇଥିଲା ।   

ସୌରଭ ଗାଙ୍ଗୁଲି ୧୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୨୧୨ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ସର୍ବାଧିକ ସ୍କୋର ୨୩୯ ରନ୍‌ ରହିଛି । ଟେଷ୍ଟ କ୍ୟାରିୟରରେ  ଗାଙ୍ଗୁଲି ମୋଟ ୧୬ଟି ଶତକ ହାସଲ କରିଥିବା ବେଳେ ୩୫ଟି ଅର୍ଦ୍ଧଶତକ ମାରିଛନ୍ତି । ଗୋଟିଏ ୨ଶତକ ମଧ୍ୟ କରିଛନ୍ତି ଗାଙ୍ଗୁଲି । ସେହିପରି ୩୧୧ଟି ଦିନିକିଆ ମ୍ୟାଚ୍‌ ଖେଳି ୧୧୩୬୩ ରନ୍‌ ସଂଗ୍ରହ କରିଛନ୍ତି ଗାଙ୍ଗୁଲି । ଏଥିରେ ତାଙ୍କର ସର୍ବାଧିକ ସ୍କୋର ୧୮୩ ରହିଛି । ଦିନିକିଆରେ ମୋଟ ୨୨ଟି ଶତକ ହାସଲ କରିଥିବା ବେଳେ ୭୨ଟି ଅର୍ଦ୍ଧଶତକ ରହିଛି । ୨୦୦୩ ଦିନିକିଆ ବିଶ୍ୱକପ୍‌ରେ ଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ ।  

   Related Posts