ନୂଆଦିଲ୍ଲୀ ୧୨।୧୦: ଟିମ୍ ଇଣ୍ଡିଆର ବିସ୍ଫୋରକ ପ୍ଲେୟର ରିଙ୍କୁ ସିଂ । ଆଜି ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ଅର୍ଥାତ୍ ୧୨ ଅକ୍ଟୋବରରେ ସେ ଉତ୍ତରପ୍ରଦେଶର ଆଲିଗଡ ସହରରେ ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ପର୍ଯ୍ୟନ୍ତ ରିଙ୍କୁ ସିଂଙ୍କ କାହାଣୀ ବେଶ୍ ସଂଘର୍ଷରେ ପରିପୂର୍ଣ୍ଣ ହୋଇଛି । ରିଙ୍କୁ ସିଂଙ୍କ ପିତା ଘରକୁ ଘର ସିଲିଣ୍ଡର ଡେଲିଭର କରିଥାନ୍ତି । ଆଉ ତାଙ୍କ ବଡ ଭାଇଙ୍କୁ ଅଟୋ ଚଳାଇ ପେଟ ପୋଷିବାକୁ ପଡିଥାଏ । ଏପରିକି ସେ ନିଜେ ବ୍ୟାଟ୍ ସୁଇଙ୍ଗ୍ କରିବା ପୂର୍ବରୁ ଝାଡୁ ଲଗାଉଥିଲେ ।
ଏବେ ବି ମଧ୍ୟ ରିଙ୍କୁଙ୍କ ପିତା ଖାନଚନ୍ଦ୍ର ସିଂ ଘରକୁ ଘର ପହଞ୍ଚାଇଥାନ୍ତି ଗ୍ୟାସ ସିଲିଣ୍ଡର । ତାଙ୍କ ବଡ ଭାଇ ଏକ ଘରୋଇ କୋଚିଂ ଫାର୍ମରେ କାମ କରନ୍ତି । ସେହିପରି ସାନ ଭାଇ ସୋନୁ ସିଂ ପ୍ରପର୍ଟି ବ୍ୟବସାୟ କରନ୍ତି ଏବଂ ଭଉଣୀ ନେହା ବିଏ ପାଠ ପଢୁଛନ୍ତି । ରିଙ୍କୁ ସିଂଙ୍କ ମା ଜଣେ ଗୃହିଣୀ। ରିଙ୍କୁ ସିଂଙ୍କ ପରିବାର ତାଙ୍କ କ୍ରିକେଟ୍ ଖେଳିବାକୁ ପସନ୍ଦ କରୁନଥିଲେ । କିନ୍ତୁ ୨୦୧୨ରେ ଯେତେବେଳେ ରିଙ୍କୁ ସିଂ ସ୍କୁଲ ଟୁର୍ନାମେଣ୍ଟରେ ବାଇକ୍ ଜିତିଲେ ସେତେବେଳେ ପରିବାରର ସମସ୍ତେ ତାଙ୍କର ସାଥ୍ ଦେଇଥିଲେ । ରିଙ୍କୁ ସିଂଙ୍କ କ୍ରିକେଟ ଯାତ୍ରା ବିଷୟରେ କହିଲେ ସେ ୨୦୧୭ରୁ ଆଇପିଏଲ୍ କ୍ୟାରୟର ଆରମ୍ଭ କରିଥିଲେ । ତାଙ୍କୁ ୧୦ ଲକ୍ଷରେ କିଣିଥିଲା ପଞ୍ଜାବ କିଙ୍ଗସ । ଏହାପରେ ଶାହାରୁଖ ଖାନଙ୍କ ନେତୃତ୍ୱାଧୀନ କେକେଆର ତାଙ୍କୁ ୨୦୧୮ରେ କିଣିଥିଲା । ଫ୍ରାଞ୍ଚାଇଜ ତାଙ୍କୁ ୮୦ଲକ୍ଷରେ କରିଥିଲା ସାଇନ୍ ।
ଆଇପିଏଲ୍ ୨୦୨୩ରେ ରିଙ୍କୁ ସିଂ ଗୋଟିଏ ଓଭରରେ ପାଞ୍ଚଟି ଛକା ମାରି ଆସିଥିଲେ ବେଶ୍ ଚର୍ଚାକୁ । କେକେଆର୍ ପାଇଁ ଖେଳୁଥିବା ବେଳେ ସେ ଗୁଜୁରାଟ ଟାଇଟାନ୍ସର ବୋଲର ୟଶ ଦୟାଲଙ୍କ ଓଭରରେ କରିଥିଲେ ଏହି କୀର୍ତ୍ତିମାନ । ସେ ତାଙ୍କ ଟିମ୍କୁ ଏକ ଅସମ୍ଭବ ବିଜୟ ଦେଇଥିଲେ । ଏହାପରେ ରିଙ୍କୁ ସିଂଙ୍କ ପାଇଁ ଟିମ୍ ଇଣ୍ଡିଆର ଖୋଲିଥିଲା ଦ୍ୱାର । ୨୦୨୩ରେ ତାଙ୍କୁ ଟିମ୍ ଇଣ୍ତିଆରେ ପ୍ରଥମଥର ପାଇଁ ମିଳିଥିଲା ଏଣ୍ଟ୍ରି । ସେ ତାଙ୍କର ପ୍ରଥମ ମ୍ୟାଚ୍ ୧୮ ଅଗଷ୍ଟ ୨୦୨୩ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।