ଘାତକ ବି ନିର୍ଦ୍ଦୟ, "୪ ଦୋଷୀ ମଣିଷ ନୁହେଁ ପଶୁ ଭଳି ଫାଶୀରେ ଝୁଲିବେ"

Published By : Prameya-News7 Bureau | January 24, 2020 IST

ମେରୁଟ୍ ୨୪/୦୧ - ଫେବୃଆରୀ ୧ ରେ ନିର୍ଭୟା ଦୋଷୀଙ୍କୁ ହେବ ଫାଶୀ । ତିହାର ଜେଲ୍‌ରେ ଫାଶୀ ଲାଗି ଡେଥ ୱାରେଣ୍ଟ ଜାରି ସରିଛି । ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବାକୁ ଜେଲ କର୍ତ୍ତୁପକ୍ଷ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି । ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବେ ଘାତକ ପୱନ କୁମାର । ତୃତୀୟ ପୀଢିର ଘାତକ ବା ହ୍ୟାଙ୍ଗ୍‌ମ୍ୟାନ୍  ପୱନ କୁମାର ଏଥିଲାଗି ମାନସିକ ପ୍ରସ୍ତୁତି ବି କରିଛନ୍ତି । ସେ ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ତେବେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ପୂର୍ବରୁ , ସେ ଦେଇଥିବା ଏକ ବୟାନ ଦୋଷୀଙ୍କ ପ୍ରତି ତାଙ୍କର ତିଳେ ବି ଦୟା ନଥିବା ପ୍ରମାଣିତ କରିଛି ।   

 ଆସନ୍ତା ମାସରେ ଫାଶୀ ପାଇବାକୁ ଥିବା ୨୦୧୨ର ସେହି ଜଘନ୍ୟ ଦୋଷୀ ମାନଙ୍କ ପ୍ରତି ପୱନ କୁମାରଙ୍କ ହୃଦୟରେ ତିଳେ ବି ଦୟା  କି ଅନୁକମ୍ପା ନାହିଁ। ତାଙ୍କ କଥା ହିଁ ତାର ପ୍ରମାଣ । ମେରୁଟ୍‌ରେ ରହୁଥିବା ପୱନ କୁମାର କହିଛନ୍ତି , “ମରିବାକୁ ଯାଉଥିବା ସେହି ଲୋକମାନେ ମଣିଷ ଭଳି ନୁହେଁ ପଶୁ ବଳି ପ୍ରାଣ ହରାଇବେ। ସେମାନେ ଅତି ନିଷ୍ଠୁର ବ୍ୟକ୍ତି , ଆଉ ସେଇଥିଲାଗି ସେମାନେ ସେମାନଙ୍କ ଜୀବନ ହରାଇବାକୁ ଯାଉଛନ୍ତି । “ ୫୪ ବର୍ଷୀୟ ପୱନ କୁମାର ହିଁ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ନିଯୁକ୍ତ ହୋଇଛନ୍ତି । ସେ ସାତଟି ପିଲାର ବାପ, କିନ୍ତୁ ଦୋଷୀଙ୍କୁ ଫାଶୀରେ ଝୁଲାଇବାରେ ତାଙ୍କ ମନରେ ଟିକେ ବି ଦ୍ୱିଧା ନାହିଁ ।

 ଫେବୃଆରୀ ୧  ତାରିଖର ବଡି ଭୋର ସମୟରେ ୪ ଦୋଷୀଙ୍କୁ ଫାଶୀରେ ଝୁଲାଯାଇପାରେ । ଏହା ବିଳମ୍ବ ମଧ୍ୟ ହୋଇପାରେ । ୨୦୧୨ ଡିସେମ୍ବର ୧୬ର ସେହି କାଳ ରାତ୍ରୀରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ପରେ ଅତି ବିଭତ୍ସଭାବେ ହତ୍ୟା କରିଥିଲେ ଚଳନ୍ତା ବସ୍‌ରେ ଥିବା ସେ ୬ ସଇତାନ । ଦୁଷ୍କର୍ମ ପରେ ଛାତ୍ରୀ ଜଣକୁ ଲୁହାରଡରେ ଅତି ଅମାନୁଷିକ ଭାବେ କ୍ଷତାକ୍ତ କରିଥିଲେ ୬ ଦୁର୍ବୃତ୍ତ ।

ଛାତ୍ରୀଙ୍କ ବନ୍ଧୁଙ୍କୁ ବି ନିର୍ଘାତ ମାଡ ମାରିଥିଲେ । ତାପରେ ଡିସେମ୍ବରର ସେହି ଅସହ୍ୟ ଶୀତରେ ରାସ୍ତାରେ ସେମାନଙ୍କୁ ଫିଙ୍ଗି ଚାଲିଯାଇଥିଲେ । ଜଣେ ଅଭିଯୁକ୍ତ , ଯେକି ପୁରା ଘଟଣାକ୍ରମର ମାଷ୍ଟର ମାଇଣ୍ଡ ଥିଲା ସେ ବିଚାର ସରିବା ପୂର୍ବରୁ ତିହାର ଜେଲ୍‌ରେ ଆତ୍ମହତ୍ୟା କରିସାରିଛି । ଅବଶିଷ୍ଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେବେ ଜଣେ ନାବାଳକ ଅପରାଧୀ ଦୋଷୀ ସାବ୍ୟସ୍ତ ହେବା ପରେ ୩ ବର୍ଷ, ଏକ ବାଳ ଅପରାଧୀ ଅଟକ କେନ୍ଦ୍ରରେ ଦଣ୍ଡ ଭୋଗି ସାରିଛି । ଅନ୍ୟ ୪ ଦୋଷୀ ଏବେ ଫେବୃଆରୀ ୧ ତାରିଖରେ ତିହାର ଜେଲ୍‌ରେ ଫାଶୀରେ ଝୁଲିବେ । ସେଥିଲାଗି ଡେଥ୍‌ ୱାରେଣ୍ଟ ଜାରି ହୋଇସାରିଛି ।ଏପରି ଘଟଣାକ୍ରମରୁ ୪ ଦୋଷୀ  ପୱନ, ବିନୟ, ମୁକେଶ ଏବଂ ଅକ୍ଷୟ ସିଂ ପ୍ରତି କାହାରି ଦରଦ ନାହିଁ ।

 ୪ ଦୋଷୀଙ୍କ ଫାଶି ଲାଗି ତିହାରରେ ପ୍ରସ୍ତୁତି ପ୍ରାୟ ସରିଲାଣି । ତିହାର ଜେଲ୍‌କର୍ତ୍ତୁପକ୍ଷ ସମସ୍ତ ତୟାରି କରିଛନ୍ତି । ଫାଶୀ ଦଉଡି, ତାହାକୁ ମସୃଣ କରିବାର ବିଭିନ୍ନ ଉପାଦାନ ସହ , ଡମି ରିହରସଲ ଆଦି ମଧ୍ୟ ହୋଇଛି । ଫାଶୀ ଦଣ୍ଡ କର୍ଯ୍ୟକାରୀ କରିବାର ଦାୟିତ୍ୱ ପାଇଥିବା ପୱନ କୁମାର ଏଥିଲାଗି ପ୍ରସ୍ତୁତି ବି କରିଛନ୍ତି। ସେପଟେ ଚର୍ଚ୍ଚାରେଥିବା ପୱନ କୁମାରଙ୍କ ସାକ୍ଷାତକାର ନେବା ଲାଗି ମଧ୍ୟ ଦେଶ ବିଦେଶର ଅନେକ ଗଣମାଧ୍ୟମ ଭୀଡ ଜମାଉଛନ୍ତି ।

ଆଉ ସମାୟାନୁବର୍ତ୍ତୀତାରେ ପୱନ କୁମାର ବି ବେଶ୍‌ ସଚେତନ । ଯଦିଓ ପୱନ କୁମାର ଏକ ଘାତକ ପରିବାରର ସଦସ୍ୟ, କିନ୍ତୁ ତୃତୀୟ ପୀଢିର ଏହି ଘାତକଙ୍କ ଲାଗି  ନିର୍ଭୟା  ଦୋଷୀଙ୍କୁ ଫାଶୀ ହିଁ ଘାତକ ଭାବେ ପ୍ରଥମ ଡ୍ୟୁଟି ହେବ। କାରଣ ଦେଶରେ ବର୍ତ୍ତମାନ ପ୍ରାୟ ୪୦୦ ଦୋଷୀ ଫାଶୀ ଦଣ୍ଡ ନିର୍ଦ୍ଦେଶ ପାଇ ଜେଲ୍‌ରେ ଥିଲା ବେଳେ ୨୦୧୫ ପରଠୁ ଦେଶରେ କାହାରିକୁ ଫାଶୀ ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.