ରାତାରାତି ଅଧିକ ଅର୍ଥ ରୋଜଗାର ନିଶା ନେଲା ଜୀବନ, ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର !

Published By : Prameya-News7 Bureau | December 26, 2020 IST

ରାଇରଙ୍ଗପୁର ୨୬।୧୨: ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଦୁନ୍ଦୁ ଗ୍ରାମରେ । ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର । ମୃତ ଠିକାଦାର ହେଲେ ମୁର୍ଷିଦାବାଦର ଅନୁଆଲ ଶେଖ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମୁର୍ଷିଦାବାଦରୁ  ଅନିଉଲ ଶେଖ୍ ଅର୍ଥ ରୋଜଗାର ପାଇଁ ଧାଇଁ ଆସିଥିଲେ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବହଳଦାକୁ । ରାଜମିସ୍ତ୍ରୀ କାମ କରିବା ସହିତ ନିଜେ ଠିକାଦାର ପାଲଟି ଯାଇଥିଲେ । ଅଞ୍ଚଳରେ ସରକାରୀ, ବେସରକାରୀ କୋଠା ନିର୍ମାଣ କରି ବେଶ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଅଧିକ ଅର୍ଥ ଓ ରାତାରାତି କୋଟିପତି ହେବା ନିଶାରେ ନିଜର ଜୀବନ ଦେବାକୁ ପଡିଲା ।

ସୂତ୍ର ଅନୁଯାଇ ଆଇପିଏଲ କ୍ରିକେଟ୍ ମ୍ୟାଚ୍ ସମୟରେ ଲକ୍ଷାଧିକ ଟଙ୍କା ଝାଡଖଣ୍ଡର ଟାଟା ନଗରର ବୁକି ପାଖରେ ବାଜି ଲଗାଇ ହାରି ଯାଇଥିଲେ । ଫଳରେ କାମ କରୁଥିବା ଶ୍ରମିକମାନଙ୍କୁ ତାଙ୍କ ପ୍ରାପ୍ୟ ଦେଇ ନ ପାରିବା ସହିତ ବିଭିନ୍ନ ଲୋକଙ୍କ ପାଖରୁ କାମ ପାଇଁ ଅଗ୍ରୀମ ଟଙ୍କା ନେଇ କାମ ନ କରି ପାରି ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଶୁକ୍ରବାର ଅନିଉଲ ଶେଖଙ୍କ ସହିତ ରହୁଥିବା ଶ୍ରମିକମାନେ କାମରୁ ଫେରି ଠିକାଦାରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.