ଛତିଶଗଡରେ ବଦଳିବେ କି ମୁଖ୍ୟମନ୍ତ୍ରୀ ? ଭୂପେଶ ବଘେଲଙ୍କ ଦୁଇ ଦିନ ପରେ ଦିଲ୍ଲୀ ପହଞ୍ଚିଲେ ଟିଏସ ସିଂହ ଦେଓ

Published By : Prameya-News7 Bureau | October 18, 2021 IST

ରାୟପୁର ୧୮।୧୦: ଦେଶରେ ତିନୋଟି ଏମିତି ରାଜ୍ୟ ରହିଛି ଯେଉଁଠି କଂଗ୍ରେସ ନିଜ ଦମରେ ସରକାର ଗଠନ କରିଛି। ଏହି ତିନିରାଜ୍ୟରୁ ଏମିତି ଗୋଟିଏ ହେଲେ ରାଜ୍ୟ ନାହିଁ ଯେଉଁଠି କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁନି। ପଞ୍ଜାବ ଡ୍ରାମା ଶେଷ ନହେଉଣୁ ଅନ୍ୟପଟେ ଛତିଶଗଡ-ରାଜସ୍ଥାନରେ ନେତୃତ୍ଵ ପରିବର୍ତ୍ତନ କଥା ଉଠିଲାଣି। ଆନୁଷ୍ଠାନିକ ଭାବେ କିଛି କୁହାଯାଉନଥିଲେ ବି ଦୁଇ ରାଜ୍ୟର ବଡ ନେତା ନିକଟ ଦିନରେ ଦିଲ୍ଲୀରେ ଡେରା ପକାଇଛନ୍ତି। ଏବେ ଛତିଶଗଡର ସ୍ଵାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଦେଓ  ସୋମବାର ପୁଣି ଦିଲ୍ଲୀରେ ପହଞ୍ଚିଛନ୍ତି। ରାଜ୍ୟରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି। ମାତ୍ର କୁହାଯାଉଛି ବାକି କାର୍ଯ୍ୟକାଳ ପାଇଁ ଟିଏସ ସିଂହ ଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।

ସୂଚନା ଅନୁଯାୟୀ, ଦିଲ୍ଲୀ ଆସିବା ପରେ ଟିଏସ ସିଂହଦେଓ ସର୍ବପ୍ରଥମେ ଛତରପୁର ମନ୍ଦିର ଦର୍ଶନରେ ପହଞ୍ଚିଥିଲେ। କୁହାଯାଉଛି ଟିଏସ ସିଂହ ଦେଓ ଦିନେ କି ଦୁଇ ଦିନ ଦିଲ୍ଲୀରେ ରହି ପାରନ୍ତି। ଏହି ସମୟରେ ସେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଟିଏସ ଏମିତି ସମୟରେ ଦିଲ୍ଲୀ ପହଞ୍ଚିଛନ୍ତି, ଯେଉଁଠି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ପାର୍ଟି କାର୍ଯ୍ୟକମିଟି ବୈଠକ  ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଛତିଶଗଡରେ ବିଗତ ଦିନରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି ଉଠି ଆସିଛି। ଏବେ ରାଜ୍ୟରେ ବଘେଲ ଏବଂ ଟିଏସ ସିଂହଦେଓଙ୍କ ଅଲଗା ଅଲଗା ଗୋଷ୍ଠୀ ହୋଇ ସାରିଛି।

ଚଳିତ ବର୍ଷ ଜୁନ ମାସରେ ଭୂପେଶ ବଘେଲ ସରକାରକୁ ଅଢେଇ ବର୍ଷ ପୂରା ହେବା ପରେ ଟିଏସ ସିଂହ ଦେଓଙ୍କ ସମର୍ଥକ ଅଢେଇ ବର୍ଷ ଫର୍ମୁଲା ଆଧାରରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି ଉଠାଇଥିଲେ। କଂଗ୍ରେସ ୨୦୧୮ରେ  ଛତିଶଗଡ ନିର୍ବାଚନ ଜିତିଥିଲା। ସେହି ସମୟରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.