ହନ୍ଦଓ୍ୱାଡା ଏନକାଉଣ୍ଟର: ଲସ୍କର ଟପ୍ କମାଣ୍ଡର୍ ହାଇଦର ନିହତ

Published By : Prameya-News7 Bureau | May 03, 2020 IST

ଶ୍ରୀନଗର, ୦୩|୦୫  : ଜମ୍ମୁ-କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାଡାଠାରେ ଶନିବାର ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଟପ୍ କମାଣ୍ଡର ହାଇଦର ନିହତ ହୋଇଥିବା ସୂଚନା ମିଳିଛି । ହାଇଦର ମୃତ୍ୟୁ ସେନା ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ତେବେ ଏହି ଏନକାଉଣ୍ଟରରେ ୫ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି ।

ଜମ୍ମୁ-କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ହନ୍ଦଓ୍ୱାଡା ଏନକାଉଣ୍ଟରରେ ଲସ୍କର କମାଣ୍ଡର ହାଇଦରକୁ ମାରିଦିଆଯାଇଛି । ଶନିବାର ହୋଇଥିବା ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ସେମାନଙ୍କର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ହାଇଦର ଅଟେ । ହାଇଦରର ମୃତ୍ୟୁ ପରେ ଆତଙ୍କବାଦୀ ସଙ୍ଗଠନ ପାଇଁ ଅଡୁଆ ବଢିଯାଇଛି । ଆତଙ୍କୀ ସଙ୍ଗଠନ ପାଇଁ ଏହା ବହୁତ ବଡ କ୍ଷତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାଡା ଚାଞ୍ଜମୁଲ୍ଲା ଅଞ୍ଚଳରେ ଶନିବାର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏପରିକି ସେମାନେ କିଛି ନାଗରିକଙ୍କୁ ବନ୍ଧକ ମଧ୍ୟ କରି ରଖିଥିଲେ । ଏହା ପରେ  ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଅପରେସନରେ ଯବାନଙ୍କ ଗୋଟିଏ ଟିମ୍ ବନ୍ଧକଙ୍କୁ ମୁକୁଳାଇଥିବା ବେଳେ ଅନ୍ୟ ଏକ ଟିମ୍ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲା । ଏଥିରେ କର୍ଣ୍ଣଲ  ଆଶୁତୋଷ ଶର୍ମାଙ୍କ ସମେତ ୫ଜଣ ସହିଦ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.