ମୋଦୀ ସରକାରଙ୍କ ଅର୍ଥନୀତିରେ ଅଧା ଜନତା ସନ୍ତୁଷ୍ଟ, ବେରୋଜଗାରୀ ଗମ୍ଭୀର ସମସ୍ୟା

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ୨୧।୦୧: ଦରଦାମ ବୃଦ୍ଧି ଏବଂ ବେରୋଜଗାରୀ ମଧ୍ୟରେ ଭାରତରେ ପ୍ରତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମୋଦୀ ସରକାରଙ୍କ ଆର୍ଥିକ ନୀତି ପସନ୍ଦ ଆସୁଛି। ତେବେ ମୋଦୀ ସରକାରଙ୍କ ଆର୍ଥିକ ନୀତିର ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ଗତ ଏକ ବର୍ଷରେ ହ୍ରାସ ଘଟିଛି। ବର୍ତ୍ତମାନ ଭାରତର ୫୨ ପ୍ରତିଶତ ଜନତା ମୋଦୀ ସରକାରଙ୍କ ଆର୍ଥିକ ନୀତିରେ ଖୁସି  ଅଛନ୍ତି। ଇଣ୍ଡିଆ ଟୁଡେ ଏବଂ ସି ଭୋଟରର ସଦ୍ୟତମ ସର୍ଭେରେ ଏହା ସୂଚନା ସାମ୍ନାକୁ ଆସିଛି।

ଦେଶର ମୁଡ୍ ଜାଣିବା ପାଇଁ ହୋଇଥିବା ସର୍ଭେ ଅନୁଯାୟୀ, ବର୍ଷ ପୂର୍ବେ ୬୦ ପ୍ରତିଶତରୁ ଅଧିକ ଲୋକ ମୋଦୀ ସରକାରଙ୍କ ଆର୍ଥିକ ନୀତି ପସନ୍ଦ କରୁଥିଲେ। କିନ୍ତୁ ଏବେ ଏଥିରେ ହ୍ରାସ ଘଟି ୫୨ ପ୍ରତିଶତକୁ ଖସି ଆସିଛି। ୧୯ ପ୍ରତିଶତ ଲୋକ ଆର୍ଥିକ ମୋର୍ଚ୍ଚାରେ ମୋଦୀ ସରକାରଙ୍କ ପ୍ରଦର୍ଶନକୁ ହାରାହାରି ଦର୍ଶାଇଛନ୍ତି। ୨୬ ପ୍ରତିଶତ ସରକାରଙ୍କ ଆର୍ଥିକ ନୀତିରେ ଖୁସି ନଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ବଡ ଉଦ୍ୟୋଗପତିଙ୍କୁ ଫାଇଦା ମିଳୁଥିବା ୪୮ ପ୍ରତିଶତ ଲୋକେ କହିଛନ୍ତି। ୮ପ୍ରତିଶତ ଲୋକଙ୍କ ମତରେ ସରକାରଙ୍କ ଆର୍ଥିକ ନୀତି ଦରମାପ୍ରାପ୍ତ ଲୋକଙ୍କ ପାଇଁ ଫାଇଦା ହୋଇଛି। ଏହିପରି ୮ ପ୍ରତିଶତ ଲୋକଙ୍କ ମତରେ ମୋଦୀ ସରକାରଙ୍କ ଆର୍ଥିକ ନୀତିରେ ଛୋଟ ବ୍ୟବସାୟୀଙ୍କୁ ଫାଇଦା ମିଳିଛି।

ଅଧିକାଂଶ ଭାରତୀୟଙ୍କ ମତରେ ଆଗାମୀ ସମୟରେ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ। ସଦ୍ୟତମ ସର୍ଭେରେ ୩୧ ପ୍ରତିଶତ ଲୋକଙ୍କ ଅନୁଯାୟୀ, ଆଗାମୀ ଛଅ ମାସରେ ଆର୍ଥିକ ମୋର୍ଚ୍ଚାରେ ସୁଧାର ଦେଖିବାକୁ ମିଳିପାରେ। ବେରୋଜଗାରୀ ଏକ ଗମ୍ଭୀର ସମସ୍ୟା ବୋଲି ୭୧ ପ୍ରତିଶତ ଲୋକ ମାନିଛନ୍ତି। ବର୍ଷ ସାରା ୮୩ ପ୍ରତିଶତ ଲୋକ ବେରୋଜଗାରୀକୁ ନେଇ ଗମ୍ଭୀର ଥିବା ସର୍ଭେରୁ ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.