ଶୀତରେ ଥରୁଛି ଅଧା ଓଡିଶା: ଆଭ୍ୟନ୍ତରୀଣ ଜିଲ୍ଲାରେ ଅସମ୍ଭାଳ ଥଣ୍ଡା, ୧୯ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ

Published By : Prameya-News7 Bureau | December 21, 2021 IST

ଭୁବନେଶ୍ଵର ୨୧।୧୨: ଶୀତରେ ଥରୁଛି ଅଧା ଓଡିଶା । ଆଭ୍ୟନ୍ତରୀଣ ଜିଲ୍ଲାରେ ଅସମ୍ଭାଳ ଥଣ୍ଡା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସଂଧ୍ୟା ହେବା ମାତ୍ରେ ଅନେକ ସ୍ଥାନ ଖାଁ ଖାଁ ହୋଇଯାଉଛି । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ସକାଳୁ ଘାସ ଉପରେ ବରଫର ହାଲୁକା ଆସ୍ତରଣ ଦେଖିବାକୁ ମିଳୁଛି । ପ୍ରବଳ ଥଣ୍ଡା, କୋହଲା ପବନ ସାଙ୍ଗକୁ ଘନ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି । ଦିନ-ରାତି ଲୋକେ ନିଆଁ ଜାଳି ତାପାଖରେ ବସୁଛନ୍ତି ।

{"id":562927,"sizeSlug":"full","linkDestination":"none"}

ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ଦିନ ଲାଗି ଗାପ ଶୁଖିଲା ରହିବ, ରାତିର ସର୍ବନିମ୍ନ ତାପମାତ୍ରା ବଦଳିବ ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ କମିବା ବେଳେ ଉପକୂଳ ଜିଲ୍ଲାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଭୁବନେଶ୍ବରରେ ସର୍ବନିମ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ କରାଯାଇଛି ।

{"id":562924,"sizeSlug":"full","linkDestination":"none"}

କନ୍ଧମାଳର ଦାରିଙ୍ଗବାଡି ସହ ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର,  ଜିଉଦୟଗିରି, ରାଇକିଆ ଭଳି ଦୁର୍ଗମ ଅଞ୍ଚଳରେ ତାପମାତ୍ରା ୪ରୁ ୫ ଡିଗ୍ରୀକୁ ଖସି ଆସିଛି, ତୁଷାରପାତ ହେଉଛି।ଶୀତ ଲହରୀରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ତେବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକ ଭିଡ ଜମାଇଛନ୍ତି। ସେପଟେ ଶୀତର ସ୍ପର୍ଶରେ କୋରାପୁଟ ଆହୁରି ସୁନ୍ଦର ହୋଇ ଯାଇଛି । ସୁନେଲି ଅଳସୀ କ୍ଷେତ, ଘଞ୍ଚ ସବୁଜ ଜଙ୍ଗଲ ଭିତରେ ଡୁଡୁମା ଜଳ ପ୍ରପାତ ଏବଂ ଲମତାପୁଟରେ ବରଫପାତର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଅନେକ ପର୍ଯ୍ୟଟକ ଛୁଟିଛନ୍ତି ।

{"id":562926,"sizeSlug":"full","linkDestination":"none"}

ଖଣି ଅଞ୍ଚଳ କେନ୍ଦୁଝର ଜିଲ୍ଲାର ଯୋଡା, ବଡ଼ବିଲ, କିରିବୁରୁରେ ଗତ ୪ରୁ ୫ ଦିନ ବ ଶୀତର ପ୍ରକୋପ ବଢିଛି । କେନ୍ଦୁଝରର କାଶ୍ମୀର ଭାବେ ପରିଚିତ ବାଂଶପାଳ ବ୍ଲକର କାଞ୍ଜିପାଣିରେ ମଦ୍ୟ ତୁଷାରପାତ ହୋଇଛି । ବର୍ଷର ପ୍ରଥମ ତୁଷାର ପାତ ଦେଖିବାକୁ ପର୍ଯ୍ୟଟକ ପହଞ୍ଚିଗଲେଣି । ସେପଟେ ସୁନ୍ଦରଗଡ କୋଇଡାରେ ମଧ୍ୟ ତୁଷାରପାତ ହୋଇଛି।  ଦିନବେଳା ମଧ୍ୟ ହାଡ଼ ଭଙ୍ଗ। ଶୀତରେ ଲୋକେ ଘରୁ ବାହାରି  ପାରୁନାହାନ୍ତି, ରାତି କଥା ନକହିଲେ ଭଲ ।

ରାଜ୍ୟକୁ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁର ପ୍ରଭାବ ଗତକାଲି ରାତିରୁ ବଢିଛି। ଆସନ୍ତା ୩ ଦିନ ରାୋଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ତଳେ ରହିବ । ତେବେ ୨୩ ତାରିଖ ପରେ ତାପମାତ୍ରା ବଢିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.