ଜଙ୍ଗଲରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ: ରହସ୍ୟମୟ ନୀଳ ରଙ୍ଗର କାର୍ ତଲାସରେ ପୁଲିସ
28/03/2023 at 9:35 PM

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଦେଶଭଟଲି ପାଖ ଝାଇଁ ଜୋର ନଦୀ ପାଖରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେ କେହି ଦୁର୍ବୃତ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ନିଆଁରେ ପୋଡ଼ି ଦେଇଛି। ଖବର ପାଇଁ ଭେଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିଚୟ ମିଳିନ ଥିବାବେଳ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା ତାହା ମଧ୍ୟ ଜଣାପଡ଼ି ନାହିଁ। ତେବେ ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇରୁ ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ଶବକୁ ପୋଡି ଚାଲିଯାଇଥିବା ସୂଚନା ମିଳିଛି। ମୃତଦେହ ସଂପୂର୍ଣ୍ଣ ଜଳି ନଥିବା ବେଳେ ହତ୍ୟାକାରୀମାନେ ଦରପୋଡା ଅବସ୍ଥାରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ପୁଲିସ କହିଛି ।
ଘଟଣା ସ୍ଥଳରୁ ଏକ କଟୁରୀ,ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ ହୋଇଛି । ପୋଲିସ ଉକ୍ତ ନୀଳ ରଂଗର କାର ସମ୍ବନ୍ଧରେ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ସି.ସି.ଟିଭି ଯାଞ୍ଚ କରୁଛି।