ଖସି ଖସି ଚାଲିଛି ସେନସେକ୍ସ-ନିଫ୍ଟି ! ଦେଢ ମାସରେ ଅଧା ଟ୍ରିଲିୟନ୍ ଡଲାର ହରାଇଲେଣି ନିବେଶକ

Published By : Prameya-News7 Bureau | November 14, 2024 IST

ମୁମ୍ୱାଇ: ଅକ୍ଟୋବର ଆରମ୍ଭରୁ ଘରୋଇ ପୁଞ୍ଜି ବଜାରରେ ଜାରି ରହିଥିବା ହ୍ରାସ ଭାରତୀୟ ନିବେଶକଙ୍କୁ ବଡ଼ କ୍ଷତି ପହଞ୍ଚାଇଛି । ସେପ୍ଟେମ୍ୱର ଶେଷରୁ ନଭେମ୍ୱର ମଧ୍ୟ ସୁଦ୍ଧା ଭାରତୀୟ ନିବେଶକ ପ୍ରାୟ ଅଧା ଟ୍ରିଲିୟନ ଡଲାର ହରାଇ ବସିଛନ୍ତି । ବିଏସ୍‌ଇ ସେନସେକ୍ସ ନିଜର ସର୍ବକାଳୀନ ଉଚ୍ଚ ସ୍ତରରୁ ପ୍ରାୟ ୧୦ ଶତାଂଶ ତଳକୁ ଖସିସାରିଛି । ସେପ୍ଟେମ୍ୱର ଶେଷଠାରୁ ବିଏସ୍‌ଇର ବଜାର ପୁଞ୍ଜି ୪୮.୫ ଲକ୍ଷ କୋଟି ଟଙ୍କା (୬୨୦ ବିଲିୟନ ଡଲାର) କମ ହୋଇସାରିଛି । ଉପଲବ୍ଧ ତଥ୍ୟ ଅନୁସାରେ ସେପ୍ଟେମ୍ୱର ୨୭ରେ ବିଏସ୍‌ଇର ବଜାର ପୁଞ୍ଜି ସର୍ବକାଳୀନ ଉଚ୍ଚ ସ୍ତର ୪୭୮ ଲକ୍ଷ କୋଟି ଟଙ୍କାରେ ଥିଲା । ସେହି ଦିନର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଅନୁସାରେ ବୋର୍ସ ମାର୍କେଟ୍ କ୍ୟାପ୍ ୫.୭ ଟ୍ରିଲିୟନ୍ ଡଲାର ଥିଲା । ବୁଧବାର ବୋର୍ସ ମାର୍କେଟ୍ କ୍ୟାପ୍ ୫.୧ ଟ୍ରିଲିୟନ ଡଲାର ଥିଲା ।

ନିବେଶକଙ୍କ ସମ୍ପତ୍ତିରେ ଏହି ବଡ଼ ହ୍ରାସ ପଛରେ ବିଦେଶୀ ନିବେଶକଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଏକ ପ୍ରମୁଖ କାରଣ ରହିଛି । ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ନିବେଶକଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିଥିଲା । ନିର୍ବାଚନ ପରିଣାମ ଘୋଷଣା ପୂର୍ବରୁ, ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ତାକୁ ନେଇ ବୈଶ୍ୱିକ ସ୍ତରରେ ନିବେଶକ ଦ୍ୱନ୍ଦ୍ୱରେ ରହିଥିଲେ । କିନ୍ତୁ ପରିଣାମ ଘୋଷଣା ପରେ ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି କଣ ରହିବ ଏବଂ ବିଶ୍ୱ ବଜାରରେ ଏହାର ପ୍ରଭାବ କଣ ରହିବ ତାକୁ ନେଇ ନିବେଶକ ଚିନ୍ତାରେ ଅଛନ୍ତି ।

ସେପଟେ ଘରୋଇ ମୋର୍ଚ୍ଚାରେ ଦୁର୍ବଳ Q2 ପରିଣାମ, ବିଭିନ୍ନ କର୍ପୋରେଟ୍‌ ପରିଣାମ ଆଶାନୁରୂପ ନରହିବା, ୧୪ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ନିବେଶକଙ୍କ ମନକୁ ଦୁର୍ବଳ କରିଛି । ଅକ୍ଟୋବର ୧ରୁ ଏବେ ସୁଦ୍ଧା ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ପିଆଇ) ପ୍ରାୟ ୧.୨ ଲକ୍ଷ କୋଟି (୧୪ ବିଲିୟନ ଡଲାର) ଟଙ୍କାର ଷ୍ଟକ୍ ବିକ୍ରି କରିସାରିଛନ୍ତି । ସେହିପରି ଅକ୍ଟୋବର ୧ରୁ ଏବେ ସୁଦ୍ଧା ଘରୋଇ ଇନଷ୍ଟିଟ୍ୟୁସନାଲ୍ ନିବେଶକ ପ୍ରାୟ ୧.୩ ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରୁ ବାହାର କରିସାରିଛନ୍ତି । ଗୁରୁବାର ଅକ୍ଟୋବର ୧୪ରେ ଘରୋଇ ପୁଞ୍ଜି ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ଲଗାତାର ଷଷ୍ଠ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.