ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ବଡ଼ ଖବର। ଖୁବ ଶୀଘ୍ର ଦେଶରେ ଜେଟ୍ ଇଞ୍ଜିନ ନିର୍ମାଣ ଆରମ୍ଭ ହୋଇପାରେ। ସରକାରୀ କମ୍ପାନି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ଖୁବ ଶୀଘ୍ର ସୁଖୋଇ ବିମାନର ଇଞ୍ଜିନ ତିଆରି କରିବା ଆରମ୍ଭ କରିପାରେ। ଆଉ ଏହା ସହ ନୂଆ ରେକର୍ଡ କରିବ HAL।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖୁବଶୀଘ୍ର ଭାରତରେ ସୁଖୋଇ ୩୦ ଏମକେଆଇ ପାଇଁ ୨୩୦ ଜେଟ ଇଞ୍ଜିନ୍ ପାଇଁ HAL ସହ ଡିଲ୍ ହୋଇପାରେ । ଏହି ଡିଲ୍ ୨୧ ହଜାର କୋଟି ନେଇ ଅନୁମାନ କରାଯାଉଛି। ଏହି ଡିଲ୍ ଅନୁଯାୟୀ, ଏଚଏଏଲ ଦେଶରେ ହିଁ ଜେଟ ଇଞ୍ଜିନ ନିର୍ମାଣ କରିବ। ସୂଚନାଥାଉକି, ବର୍ତ୍ତମାନ ଭାରତରେ ବୋଇଂର ଇଞ୍ଜିନ ସହ ଜଡ଼ିତ କିଛି ଅଂଶ ତିଆରି ହେଉଛି । କିନ୍ତୁ ଜେଟ୍ ଇଞ୍ଜିନ କିମ୍ବା ଏୟାରକ୍ରାଫ୍ଟ ପାଇଁ ଭାରତ ଏବେବି ଆମଦାନୀ ଉପରେ ନିର୍ଭର କରୁଛି ।
ସୁଖୋଇ ବିମାନରେ ବଦଳିବ ପୁରୁଣା ଇଞ୍ଜିନ
ଏଚଏଏଲ ଦେଶରେ ଏହି ଇଞ୍ଜିନର ନିର୍ମାଣ ପ୍ରାରମ୍ଭିକ ସ୍ତରରୁ ଆରମ୍ଭ କରିବ । ଅର୍ଥାତ ଇଞ୍ଜିନ ପାଇଁ କଞ୍ଚାମାଲ ଠାରୁ ଆରମ୍ଭ କରି ତାହାକୁ ସୁଖୋଇ ଫାଇଟର ବିମାନର ପୁରୁଣା ଇଞ୍ଜିନ ସହ ପରିବର୍ତ୍ତନ ପର୍ଯ୍ୟନ୍ତ କାମ କରିବ । ଏହି ଇଞ୍ଜିନର ଡେଲିଭରି ଆସନ୍ତା କିଛି ବର୍ଷ ମଧ୍ୟରେ ଆରମ୍ଭ ହେବ।
ଏଚଏଏଲ ଏହି ଇଞ୍ଜିନର ନିର୍ମାଣ ଲାଇସେନ୍ସ ଆଗ୍ରିମେଣ୍ଟ ଅନୁଯାୟୀ କରାଯିବ। ଏଥିରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଅବଶ୍ୟ ସୁଖୋଇ ୩୦ ଏମକେଆଇ ବିମାନର ଇଞ୍ଜିନକୁ ବଦଳାଇବା କାମ ସହ ଏହି ବିମାନକୁ ଅପଗ୍ରେଡ କରିବା ମଧ୍ୟ ଯୋଜନା ରହିଛି। ନୂଆ ରାଡାର ଠାରୁ ଆରମ୍ଭ କରି ନୂଆ ଇଲେକ୍ଟ୍ରୋନିକ ଓ୍ବାରଫେୟାର ସୁଟ୍ସ ବିମାନରେ ଖଚିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୦ ବିମାନକୁ ଅପଗ୍ରେଡ କରାଯିବ।