କୁଏତ୍ରେ ଭୀଷଣ କୁଆପଥର ବର୍ଷା, ବରଫର ଧଳା ଚଦରରେ ଘୋଡ଼େଇ ହେଲା ରାସ୍ତାଘାଟ
29/12/2022 at 5:51 PM

କୁଏତ ସିଟି ୨୮।୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ମିଜାଜ ମଧ୍ୟ ବଦଳିଛି। ଫିଲପାଇନ୍ସରେ ଏତେ ବର୍ଷା ହେଲା ଯେ ବନ୍ୟା ଆସିଗଲା, ଏବେ ଉପସାଗରୀୟ ଦେଶ କୁଏତ୍ରେ ଭୀଷଣ କୁଆପଥର ବର୍ଷା ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଗତ ଦିନରେ ହୋଇଥିବା କୁଆ ପଥର ବର୍ଷା ରାସ୍ତାଘାଟ କୋଠାବାଡିକୁ ବରଫର ଧବଳ ଚଦରରେ ଘୋଡାଇ ଦେଇଥିଲା।
ଆକାଶରୁ ହେଉଥିବା କୁଆପଥର ବର୍ଷାକୁ ଲୋକେ ସହଜରେ ବିଶ୍ୱାସ କରିପାରିନଥିଲେ। ବେଶ ସମୟ ଧରି ପଡୁଥିଲା କୁଆ ପଥର, ଯାହାକୁ ଲୋକେ ସେମାନଙ୍କ ମୋବାଇଲ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟିଂ କରୁଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। କୁଆ ପଥର ବର୍ଷା ପରେ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆକାଶରୁ ଖସିଥିବା ବରଫ ଗୁଳା ହାତରେ ଧରି ବେଶ୍ ମଜା କରିଥିଲେ।

ମଧ୍ୟପ୍ରାଚ୍ୟ ଦେଶଗୁଡିକ ବାଲିଆ ଜମିର ଦେଶ। ଏହି ସବୁ ଦେଶମାନଙ୍କରେ ଲୋକେ ଗ୍ରୀଷ୍ମ ଋତୁରେ ଭୀଷଣ ଗରମ ସହିତ ଧୂଳି ଝଡ଼ ଦେଖିବା ସାଧାରଣ କଥା। ହେଲେ ଆକାଶରୁ କୂଆ ପଥର ବର୍ଷା ଦୂରର କଥା ସାଧାରଣ ବର୍ଷା ମଧ୍ୟ ଦେଖିବା ବିରଳ। ଏଣୁ ଆକାଶରୁ ଅଚାନକ କୁଆ ପଥର ବର୍ଷା ଦେଖି ଲୋକେ ଆଚମ୍ବିତ ହୋଇଥିଲେ। ବର୍ଷା ପରେ ରାସ୍ତାଘାଟରେ ଜମି ଯାଇଥିବା କୁଆପଥର ଦେଖିବାକୁ ସଡକକୁ ଓହ୍ଲାଇ ଆସିଥିଲେ।
ତେବେ କୁଏତରେ କୁଆ ପଥର ବର୍ଷା ନୂଆ ନୁହେଁ। ଏହା ପୂର୍ବରୁ ୨୦୧୬ ମସିହାରେ ଏହିପରି କୁଆପଥର ବର୍ଷା ହୋଇଥିଲା। ଯେତେବେଳେ ରାସ୍ତାଘାଟ ବରଫର ଧଳା ଚଦରରେ ଘୋଡେଇ ହୋଇଯାଇଥିଲା। ସେତେବେଳେ ଦେଶରେ ଦିନର ତାପମାତ୍ରାରେ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଦେଖା ଦେଇଥିଲା। ବହୁ ବର୍ଷ ପରେ ପୁଣି ଥରେ କୁଆ ପଥର ବର୍ଷା ହୋଇଛି। ଏଣୁ ଲୋକେ କୁଆ ପଥର ବର୍ଷାର ବେଶ୍ ମଜା ନେଇଛନ୍ତି।