ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ପୁଣି ୧୫ ବର୍ଷ ଜେଲ୍‌ ଦଣ୍ଡାଦେଶ, ପୂର୍ବରୁ ୪ ମାମଲାରେ ହୋଇଛି ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | December 25, 2020 IST

ଇସ୍ଲାମାବାଦ ୨୫/୧୨: କୁଖ୍ୟାତ ଆତଙ୍କବାଦୀ ତଥା ଜମାତ-ଉଦ-ଦାବା ମୁଖ୍ୟ ହାଫିଜ ସୟିଦକୁ ପୁଣି ୧୫ ବର୍ଷ ଜେଲ ଦଣ୍ଡାଦେଶ। ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜକୁ ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧୀ ଅଦାଲତ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୭୦ ବର୍ଷୀୟ ହାଫିଜ୍‌କୁ ଦୁଇ ଲକ୍ଷ ଟଙ୍କା ଜରିମାନ ଭରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ଟେରର ଫଣ୍ଡିଂ ଭଳି ୪ଟି ମାମଲାରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ପାକ୍‌ କୋର୍ଟ।

ଅନ୍ୟପଟେ କୋର୍ଟ ଜମାତ ଉଦ ଦାବାର ନେତା ହାଫିଜ୍‌ ଅବ୍ଦୁଲ ସଲାମ, ଜାଫର ଇକବଲ, ଜମାତର ପ୍ରବକ୍ତା ମୁଜାହୀଦ ଓ ମହମ୍ମଦ ଅଶରଫକୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି। ଏହା ସହ ସୟିଦର ନିକଟ ସମ୍ପର୍କୀୟ ରହମାନ ମକ୍କିକୁ ୬ ମାସ ଜେଲ୍‌ ସହ ଦୁଇ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ।

ମିଳିଥିବା ସୂଚନା ଅନୁସାରେ ହାଫିଜ୍‌ ସୟିଦ ମୋଟ ୩୬ ବର୍ଷ ସଜା କାଟିବାକୁ ଥିବା ବେଳେ ଏହି ସବୁ ମାମଲାର ଦଣ୍ଡ ମଧ୍ୟ ଭୋଗିବ। ତେବେ ସୂଚନା ମୁତାବକ ହାଫିଜକୁ ଜେଲରେ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଉଛି। ଅନ୍ୟପଟେ ପାକିସ୍ତାନ ଏଫଏଟିଏଫ ଆଖିରେ ଧୂଳି ଦେବାକୁ ଲୋକ ଦେଖାଣିଆ କାର୍ଯ୍ୟନୁଷ୍ଠାନ ନେଉଥିବା ଚର୍ଚ୍ଚା ହେଉଛି। ୨୦୨୧ ପର୍ଯ୍ୟନ୍ତ ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି।

ଆମେରିକାରେ ସୟିଦ ଉପରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା ହୋଇଛି। ଗତବର୍ଷ ୧୭ ଜୁଲାଇରେ ଟେରର ଫଣ୍ଡିଂ ମାମଲାରେ ହାଫିଜ ସୟିଦକୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନର ଏକ କୋର୍ଟ ହାଫିଜ୍‌କୁ ଦୁଇ ମାମଲାରେ ୧୧ ବର୍ଷ ଜେଲ ଓ ନଭେମ୍ବରରେ ଆଉ ଦୁଇ ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.