ସରିଲା ମାସକର ବ୍ରତ, ଏବେ ବାହୁଡିବାର ବେଳ: ଶ୍ରୀକ୍ଷେତ୍ର ଛାଡି ଘରକୁ ଫେରିଲେ ହବିଷ୍ୟାଳୀ

Published By : Prameya-News7 Bureau | November 28, 2023 IST

ପୁରୀ ୨୮/୧୧: ଶେଷ ହୋଇଛି ପୁଣ୍ୟର ମାସ କାର୍ତ୍ତିକ । ପ୍ରାୟ ଏକ ମାସ ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ଆଶ୍ରୟ ସ୍ଥଳରେ ରହି ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନଙ୍କ ଏବେ ଘର ବାହୁଡ଼ା । ଘର, ସଂସାର, ଲୋଭ, ମୋହ, ମାୟା ଛାଡ଼ି ଏକାଠି ହୋଇ ହବିଷ୍ୟ ବ୍ରତ ପାଳନ କରିବା ସହ ରାଇଦାମୋଦର ପୂଜା କରୁଥିଲେ । ତେବେ କାଳିଆ ଠାକୁର ବଞ୍ଚେଇକି ରଖିଲେ । ଆରବର୍ଷକୁ ପୁଣିଥରେ ପୁରୀ ଆସି ବ୍ରତ ପାଳନ କରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ବ୍ରତଧାରିଣୀ ମାନେ ।

ଚାହୁଁ ଚାହୁଁ ମାସେ ବିତିଗଲା। ଦୀର୍ଘ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଗହଳି ଚହଳି ଲାଗିଥିଲା । ଏବେ କିନ୍ତୁ ଆଉ ଏ ଭିଡ଼ ଦେଖିବାକୁ ମିଳିବନି । କାରଣ ଆଜି ଏହି ବ୍ରତଧାରିଣୀ ମାନେ ନିଜ ନିଜ ଘରକୁ ବାହୁଡ଼ିଛନ୍ତି । ଘର ଦ୍ୱାର ଛାଡ଼ି କାର୍ତ୍ତିକ ବ୍ରତ କରି ପୁଣ୍ୟ ଅର୍ଜନ କରିବା ପାଇଁ ପାଦ ପକାଇଥିଲେ ଶ୍ରୀକ୍ଷେତ୍ରରେ । ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ଆଶ୍ରୟ ସ୍ଥଳରେ ଗୋଟିଏ ପରିବାରର ସଦସ୍ୟ ଭାବି ଚଳୁଥିଲେ ଏମାନେ ।

ବଡ଼ି ଭୋରରୁ ଉଠି ବିଭିନ୍ନ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରି ରାଇଦାମୋଦର ପୂଜା କରୁଥିଲେ । ଏହା ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଉଥିଲେ । ଆଉ ଏ ସୁଯୋଗ ମିଳିବ କି ନାହିଁ ତାହା ସମୟ କହିବ । ଯଦି ଆରବର୍ଷକୁ ବଞ୍ଚିଥିବୁ ଆଉ କାଳିଆର ଡ଼ୋରି ଲାଗେ ତେବେ ଶ୍ରୀକ୍ଷେତ୍ରକୁ ଆସି ପୁଣିଥରେ ଏହି ବ୍ରତ କରିବୁ ବୋଲି କହିଛନ୍ତି ହବିଷ୍ୟାଳୀ ।

ସେହିପରି ମାସକ ରହଣୀ ଭିତରେ ଅନେକ ଅଚିହ୍ନା ମୁହଁକୁ ନିଜର କରିନେଇଥିଲେ ଏହି ମାଆ ମାନେ। ସଞ୍ଜ ନଇଁଲେ ସମସ୍ତେ ଏକାଠି ହୋଇ ଚଉରାମୂଳେ ପୂଜା କରୁଥିଲେ । ଏହା ସହ ନିଜ ନିଜ ଭିତରେ ଭାବ ଆଦାନ ପ୍ରଦାନ ମଧ୍ୟ କରୁଥିଲେ । ଆଜି ଜଗା ପାଖରୁ ବିଦାୟ ନେବା ବେଳକୁ ମନକୁ ବହୁତ କଷ୍ଟ ଲାଗୁଛି ବୋଲି କହିଛନ୍ତି ହବିଷ୍ୟାଳୀ । ଘରକୁ ଫେରିବା ବେଳେ ସମସ୍ତଙ୍କ ଆଖି ଛଳ ଛଳ ହୋଇ ପଡ଼ିଥିଲା ।

ଭାବ ବିହ୍ୱଳ ହୋଇ କିଏ କାହାକୁ କୋଳେଇ ନେଉଥିଲେ ତ ଆଉ କିଏ ଗାଲ ଥାପୁଡ଼ାଇ ଦେଉଥିଲେ । ଜୟ ଜଗନ୍ନାଥ ଉଚ୍ଚାରଣ କରିବା ସହ ମହାପ୍ରଭୁ ଚାହିଁଲେ ଆରବରଷକୁ ଦେଖା ହେବ ବୋଲି କହି କାନ୍ଦି ପକାଉଥିଲେ । କେବଳ ସେତିକି ନୁହେଁ ଦୀର୍ଘ ଏକମାସ କାଳ ହବିଷ୍ୟାଳି ମା ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିବା ପୁରୀ ଜିଲ୍ଲାପାଳ ମଧ୍ୟ ମା ମାନଙ୍କ ଘର ବାହୁଡ଼ା ନେଇ ଭାବ ବିହ୍ୱଳ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.