ଜ୍ଞାନବାପୀ ମସଜିଦରୁ ମିଳିଲା ଶିବଲିଙ୍ଗ ! ସିଲ୍ କରିବା ସହ ଚଳପ୍ରଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ, ୧୬/୦୫:   ଜ୍ଞାନବାପୀ ମସଜିଦରୁ ବାହରିଲା ଶିବଲିଙ୍ଗ । ଉତ୍ତର ପ୍ରଦେଶ ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ହୋଇଛି । ଏହାପରେ କୋର୍ଟ ଉକ୍ତ ସ୍ଥାନକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସର୍ଭେରେ ଶେଷ ଦିନରେ ଶିବ ଲିଙ୍ଗ ମିଳିବା ପରେ ହିନ୍ଦୁ ପକ୍ଷ ଉତ୍ସାହିତ ହୋଇପଡିଛନ୍ତି ।

ବାରଣାସୀ କୋର୍ଟ ଜିଲ୍ଲାପାଳଙ୍କୁ କହିଛନ୍ତି ଯେ, ଯେଉଁ ସ୍ଥାନରେ ଶିବଲିଙ୍ଗ ମିଳିଛି ଉକ୍ତ ସ୍ଥାନକୁ ତୁରନ୍ତୁ ସିଲ୍ କରାଯାଉ । ଏହାସହ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ନଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଦାୟିତ୍ବ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ପ୍ରଦାନ କରାଯାଇଛି । ଆହୁରି ମଧ୍ୟ କୋର୍ଟ କହିଛନ୍ତି ଯେ, ଯେଉଁ ସ୍ଥାନକୁ ସିଲ୍ କରାଯାଇଛି, ତାକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିବାର ଦାୟିତ୍ବ ଜିଲ୍ଲାପାଳ, ପୋଲିସ କମିଶନର ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କର ଅଟେ।

ସୂଚନାଯୋଗ୍ୟ, ବାରଣାସୀରେ ଜ୍ଞାନବାପୀ ମସଜିଦରେ ସର୍ଭେ ଶେଷ ହୋଇଛି । କିନ୍ତୁ ଦାବି ଉପରେ ଏବେ ବିବାଦ ଦେଖାଦେଇଛି । ଶେଷ ଦିନର ସର୍ଭେ ପରେ ହିନ୍ଦୁ ପକ୍ଷ ସେଠାରୁ ଶିବଲିଙ୍ଗ ମିଳିଥିବାର ଦାବି କରିଥିଲେ । ଏକ କୂଅରୁ ଏହି ଶିବଲିଙ୍କ ବାହାରିଥିବା କୁହାଯାଇଥିଲା । ଜଳ ନିଷ୍କାସନ ହେବା ମାତ୍ରେ ସେଠାରେ ଉପସ୍ଥିତ ଥିବା ହିନ୍ଦୁ ପକ୍ଷ ଆନନ୍ଦିତ ହୋଇଉଠିଥିଲେ, କାରଣ ସେଠାରେ ୧୨.୮ ଫୁଟ ବ୍ୟାସାର୍ଦ୍ଧାର ଏକ ଶିବଲିଙ୍ଗ ମିଳିଥିଲା ସେମାନେ ଦାବି କରିଥିଲେ ।

ହିନ୍ଦୁ ପକ୍ଷଙ୍କ ଓକିଲ ମଦନ ମୋହନ କହିଥିଲେ ଯେ, ପାଣି ହଟିବା ପରେ ସେଠାରୁ ଶିବଲିଙ୍ଗ ପ୍ରକଟ ହୋଇଥିଲା । ଯାହାର ବ୍ୟାସ ୧୨ଫୁଟ ୮ଇଞ୍ଚ। ଏହା ଖୁବ ଗଭୀରରେ ଥିଲା। ଅନ୍ୟପଟେ କିନ୍ତୁ ମୁସଲିମ୍ ସମ୍ପ୍ରଦାୟ କହିଛନ୍ତି ଯେ,  ଦାବି ମୁତାବକ କୌଣସି ଜିନିଷ ମିଳିନାହିଁ । ଅନ୍ୟ ଦିଗରେ ବାଦ ପ୍ରତିବାଦ ମଧ୍ୟରେ କମିଶନର ଅଜୟ କୁମାର ମିଶ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ପାଇଁ କହିଥିବା ବେଳେ ଶିବଲିଙ୍ଗ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.