ଅଡୁଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆ: ନୋଟିସ ଜାରି କରିଛନ୍ତି ହାଇକୋର୍ଟ

Published By : Prameya-News7 Bureau | September 01, 2020 IST

ଗ୍ୱାଲିୟର ୦୧/୦୯ : ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମସ୍ୟା ବଢିଛି | ଗ୍ୱାଲିୟର ହାଇକୋର୍ଟ ପୂର୍ବତନ ମନ୍ତ୍ରୀ ଡ.ଗୋବିନ୍ଦ ସିଂହଙ୍କ ଆବେଦନର ଶୁଣାଣି କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନୋଟିସ ଜାରି କରିଛନ୍ତି | ଏହାସହ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଜବାବ ମାଗିଛନ୍ତି | ଡ.ଗୋବିନ୍ଦ ସିଂହ ଅଭିଯୋଗ କରିଛନ୍ତି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ନାମାଙ୍କନ ସମୟରେ ତଥ୍ୟ ଲୁଚାଇଥିଲେ | ଏହି ଆବେଦନ ଉପରେ  ଅଗଷ୍ଟ ୨୭ ତାରିଖରେ ଶୁଣାଣି କରି ହାଇକୋର୍ଟ ନୋଟିସ ଜାରି କରିଛନ୍ତି |

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବାର କିଛି ଦିନ ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ | ସେତେବେଳେ କଂଗ୍ରେସ ଏହାକୁ ନେଇ ବିଧାନସଭାରେ ଅଭିଯୋଗ କରିଥିଲା | କିନ୍ତୁ ସେତେବେଳେ ଆବେଦନକୁ ଖାରଜ କରାଯାଇଥିଲା | ଡ.ଗୋବିନ୍ଦ ସିଂହ ଆବେଦନରେ ଅପରାଧିକ ମୁକଦ୍ଦମାର ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି | ଏଥିପାଇଁ ନିର୍ବାଚନ ରଦ୍ଦ କରିବାକୁ ଦାବି କରିଛନ୍ତି |

ଗୋବିନ୍ଦ ସିଂହଙ୍କ ଆବେଦନ ଉପରେ ଶୁଣାଣି କରି ଗ୍ୱାଲିୟର ହାଇକୋର୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି | କୋର୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି | କୋର୍ଟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି | ଫଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି |

କଂଗ୍ରେସ ଅଭିଯୋଗ କରିଛି ଯେ ୨୦୧୮ ମସିହାରେ ଭୋପାଲ ଶ୍ୟାମଳା ହିଲ୍ସ ଥାନାରେ କମଲନାଥ, ଦିଗବିଜୟ ସିଂହ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଏକ ଏଫଆଇଆର ରୁଜ୍ଜୁ କରାଯାଇଥିଲା | ସିନ୍ଧିଆ ଏହି ମାମଲା ସମ୍ବନ୍ଧରେ ସାର୍ବଜନିକ ରୂପରେ ସ୍ୱୀକାର କରିଥିଲେ | କିନ୍ତୁ ବର୍ତ୍ତମାନ ସେ କଂଗ୍ରେସରେ ନାହାନ୍ତି ଏବଂ ବିଜେପି ସାଂସଦ ଅଛନ୍ତି | ସିନ୍ଧିଆ ଏହି ମାମଲା ସମ୍ପର୍କରେ ନିର୍ବାଚନ ସମୟରେ କୌଣସି ସୂଚନା ଦେଇନଥିବା ଗୋବିନ୍ଦ ସିଂହ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.