୪ ବର୍ଷର ପ୍ରେମକୁ ୨ ମିନିଟ୍‌ରେ ଶେଷ କରିଦେଲେ, ହତାଶରେ ଜୀବନ ହାରିଲେ ଯୁବକ, ଶେଷ ଚିଠିରେ ପୁଲିସ ବାବୁଙ୍କୁ କଲେ ଦାୟୀ

Published By : Prameya-News7 Bureau | July 11, 2022 IST

୪ ବର୍ଷର ପ୍ରେମକୁ ୨ ମିନିଟରେ ଫଇସଲା କରିଦେଲେ
କାହିଁକି ଏମିତି ଅନ୍ୟାୟ କଲେ ସାର୍ ?
ଆପଣ ମୋ କଥା ଶୁଣିଥିଲେ ମୁଁ ବଞ୍ଚିଯାଇଥାନ୍ତି
ମୋ ଉପରେ ଯେମିତି ଅନ୍ୟାୟ କଲେ ଆଉ କାହା ଉପରେ କରିବେନି ସାର୍..

ଇଏ ହେଉଛି ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ ଶେଷ ଚିଠି। ତାକୁ ଆମେ ସୁଇସାଇଡ୍ ନୋଟ୍ କହିପାରିବା। ଏହାକୁ ଲେଖିଛନ୍ତି ବାଲେଶ୍ଵର ସଦର ବ୍ଳକର ରୁପ୍ସା ଥାନା ଅନ୍ତର୍ଗତ ଆଙ୍କ ଗ୍ରାମର ଜୟନ୍ତ ବେହେରା। ମୃତ୍ୟୁ ପୂର୍ବରୁ ରୁପ୍ସା ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଯାଇଛନ୍ତି ଏଭଳି ଅଭିଯୋଗଭରା ପତ୍ର। ଯେଉଁଥିରେ ଦୁଃଖ ହାତାସା ଓ ଯନ୍ତ୍ରଣା ବେସ୍ ଜଳ ଜଳ। ଜଣେ ଯୁବକଙ୍କ ଚରମ ନିଷ୍ପତ୍ତିର କାରଣ।

୪ ବର୍ଷ ହେଲା ଜଣେ ଯୁବତୀଙ୍କୁ ଭଲପାଉଥିଲେ ଜୟନ୍ତ। ହେଲେ ଯୁବତୀଙ୍କ ପରିବାର କିନ୍ତୁ କରୁଥିଲେ ବିରୋଧ। ଜୟନ୍ତଙ୍କୁ ଜ୍ୱାଇଁ କରିବାକୁ ରାଜି ନଥିଲେ। ଏଥିପାଇଁ ଜୟନ୍ତ ରୁପ୍ସା ଥାନାର ଦ୍ୱାରସ୍ଥ ହୋଇ ଥାନା ଅଧିକାରୀଙ୍କୁ ସବୁକଥା ଜଣାଇଥିଲେ। ହେଲେ ଥାନା ଅଧିକାରୀ ତାଙ୍କ କଥା ନ ଶୁଣିବାରୁ ସେ ଆତ୍ମହତ୍ୟା କରିଥିବା ଜୟନ୍ତଙ୍କ ସୁଇସାଇଡ୍ ନୋଟ୍‌ରୁ ମନେ ହେଉଛି। ଆହୁରି ବେଦନା ଦାୟକ, ଜୟନ୍ତ ନିଜ ରକ୍ତରେ ପ୍ରେମିକାକୁ ଲେଖିଥିବା ଆଇ ଲଭ ୟୁ।

ଜୟନ୍ତଙ୍କ ପ୍ରେମ ଏକତରଫା ନଥିଲା, ଯୁବତୀ ଜଣଙ୍କ ବି ତାଙ୍କୁ ଭଲପାଉଥିଲେ। ଏହି କଥା ଥାନା ବାବୁଙ୍କ ଆଗରେ ବାରମ୍ବାର କହିଥିଲେ ଜୟନ୍ତ। ପ୍ରମାଣ କରିବାକୁ ଥରେ ତାଙ୍କ ପ୍ରେମିକାଙ୍କୁ ଥାନାକୁ ଡାକି ପଚାରିବାକୁ ମଧ୍ୟ ଥାନାଧିକାରୀଙ୍କୁ ନେହୁରା ହୋଇଥିଲେ ଜୟନ୍ତ। ହେଲେ ଥାନାରେ ଏମିତି କୁହନ୍ତି ନାହିଁ ବୋଲି କହି ଜୟନ୍ତର କଥା ଠିକ୍ ଭାବେ ଶୁଣି ନଥିଲେ ରୁପ୍ସା ଥାନା ଅଧିକାରୀ। ବରଂ ୪ ବର୍ଷର ପ୍ରେମକୁ ୨ ମିନିଟ୍‌ରେ ଫଇସଲା କରି ଦେଇଥିଲେ । ଏସବୁ କଥା ସୁସାଇଡ ନୋଟ୍‌ରେ ଲେଖିଛନ୍ତି ୨୫ ବର୍ଷୀୟ ଜୟନ୍ତ ବେହେରା।

ସମସ୍ତେ ଜାଣି ବି କେହି ତାଙ୍କ କଥା ଶୁଣିଲେ ନାହିଁ। ଶେଷରେ ସୋମବାର ସକାଳେ ଘାସମରା ବିଷ ଖାଇ ଜୀବନ ହାରିଛନ୍ତି ଜୟନ୍ତ । ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟ୍‌ରେ ତାଙ୍କ ପ୍ରେମିକାକୁ ଲୁଚାଇ ରଖି ଅନ୍ୟତ୍ର ବାହାଘର କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ବି କରିଛନ୍ତି। ଆହୁରି ଲେଖିଛନ୍ତି, ତାଙ୍କ ପ୍ରେମ ବିଷୟରେ ତାପସ ଗିରି, ଶ୍ରୀଧର ବେହେରା, ଖଗେନ ବେହେରା, ସୁବ୍ରତ ବେହେରା, ବରେନ୍ଦ୍ର ଦାସ, ମିତାରାଣୀ ଦାସ ଓ ମାଡୁ ମାମୁ ସମସ୍ତେ ଜାଣିଥିଲେ। ହେଲେ ସତକୁ ଲୁଚାଇ ରଖି ଆପଣଙ୍କୁ ମିଛ କହିଲେ ବୋଲି ସୁଇସାଇଡ୍ ନୋଟ୍‌ରେ ଥାନା ଅଧିକାରୀଙ୍କୁ ଲେଖିଛନ୍ତି ଜୟନ୍ତ। ଏହାସହ ସେମାନଙ୍କୁ ଦଣ୍ଡ ମିଳୁ ବୋଲି ଅନୁରୋଧ ମଧ୍ୟ କରିଛନ୍ତି। ଏବେ ଅପେକ୍ଷା ଶେଷ ଚିଠିର ଶେଷ ନିଷ୍ପତ୍ତି କେବେ ଆଉ କଣ ହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.