ଓଡ଼ିଶା ଆନ୍ଧ୍ର ସୀମାନ୍ତ ସୁଙ୍କି ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

Published By : Prameya-News7 Bureau | October 08, 2018 IST

କୋରାପୁଟ ୮|୧୦: ଓଡ଼ିଶା ଆନ୍ଧ୍ର ସୀମାନ୍ତ କୋରାପୁଟର ସୁଙ୍କି ଜଙ୍ଗଲରେ ବୁଲୁଛନ୍ତି ଟପ୍ ମାଓନେତା । ଗତକାଲି ଏଠାରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ପକ୍ଷ ଭିତରେ ପ୍ରଚଣ୍ଡ ଗୁଳି ବିନିମୟ ହୋଇଛି । ତେବେ ୧୫ରୁ ଅଧିକ ଦୁର୍ଦ୍ଦାନ୍ତ ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଆନ୍ଧ୍ର ସୀମାକୁ ଲାଗିଥିବା ଏହି ଇଲାକାରେ ମାଓବାଦୀଙ୍କ ପିଛା କରୁଛନ୍ତି ଯବାନ । ସେପଟେ ଆନ୍ଧ୍ର ସୀମାରେ ଜଗିଛନ୍ତି ଗ୍ରେ ହାଉଣ୍ଡ ଯବାନ । ପଟାଙ୍ଗି ଥାନା ସୁଙ୍କି ଘାଟିରେ ମାଓନେତା ରାମକ୍ରିଷ୍ଣା, କମାଣ୍ଡର ଅରୁଣା ଏବଂ ଚଳପତି କିଛି ମାଓ କ୍ୟାଡରଙ୍କ ସହ ବୈଠକ କରୁଥିଲେ । ସୂଚନା ପାଇ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଉଭୟ ପକ୍ଷରୁ ୩୦ମିନିଟ୍ ଧରି ଗୁଳିବିନିମୟ ହୋଇଥିଲା । ଯବାନମାନେ ଗ୍ରେନେଡ୍ ମାଡ କରିଥିଲେ । ୨ଶହରୁ ଅଧିକ ଯବାନ ଘେରାବନ୍ଦୀ କରୁଥିବା ଦେଖି ମାଓ କ୍ୟାଡର ପଛଘୁଞ୍ଚା ଦେଇଥିଲେ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି । ଏବେବି ଯବାନମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ଗତ ମାସ ୨୨ତାରିଖରେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ । ଏହି କାଣ୍ଡ ଘଟାଇବା ପରେ ଏମାନେ ଓଡିଶା ସୀମାରେ ଘୁରି ବୁଲୁଛନ୍ତି । ଏପଟେ ନକ୍ସଲଙ୍କ ମୁକାବିଲା ଲାଗି ଆନ୍ଧ୍ର-ଓଡିଶା ଡିଜିପି ସ୍ତରୀୟ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଅନ୍ୟପକ୍ଷରେ ସିପିଆଇ-ମାଓବାଦୀ କେନ୍ଦ୍ରୀୟ କମିଟିରେ ନିଷ୍ପତ୍ତି ପରେ ଲାଲକ୍ୟାଡର ସକ୍ରିୟ ହୋଇଛନ୍ତି । ନକ୍ସଲମାନେ ଅପରେସନ ଘମାସାନ ଆରମ୍ଭ କରିଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପକେଟ୍ ଆଇଇଡି ବିସ୍ଫୋରକ ବ୍ୟବହାର କରିବା ପାଇଁ ତାଲିମ୍ ଦିଆଯାଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.