ଗୁଜରାଟରେ ଇଣ୍ଟରନ୍ୟାସନାସନାଲ କାଇଟ୍ ଫେଷ୍ଟିଭାଲ ୨୦୨୩ ଉଦଘାଟିତ, G-20 ଦେଶଙ୍କ ଲୋକେ ଉଡ଼ାଇଲେ ଗୁଡ଼ି
8/01/2023 at 5:59 PM

ଅହମ୍ମଦାବାଦ ୮।୧: ଗୁଜରାଟରେ ଇଣ୍ଟରନ୍ୟାସନାଲ କାଇଟ୍ ଫେଷ୍ଟିଭାଲ ୨୦୨୩ ରବିବାର ଆରମ୍ଭ ହୋଇଛି। ଅହମ୍ମଦାବାଦର ସାବରମତୀ ରିଭର ଫ୍ରଣ୍ଟ ଓ ବଲ୍ଲଭା ସଦନରେ ୮ରୁ ୧୪ ଜାନୁୟାରୀ ପର୍ଯ୍ୟନ୍ତ ଏହି ମହୋତ୍ସବର ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଫେଷ୍ଟିଭାଲର ଉଦଘାଟନ କରିଛନ୍ତି। ଅହମ୍ମଦାବାଦ ସମେତ ବିଭିନ୍ନ ସହରରେ ଅନୁଷ୍ଠିତ ହେବାକୁ ଥିବା ଏହି ଫେଷ୍ଟିଭାଲ ଜି-୨୦ ଥିମ୍ ଆଧାରିତ ହେବ।

ଗୁଡ଼ିଉଡା ଉତ୍ସବରେ ଜି-୨୦ ଦେଶଙ୍କ ଗୁଡ଼ି ଉଡ଼ାଳୀଙ୍କୁ ବହୁ ସଂଖ୍ୟାରେ ଦେଖା ଯାଇଛି। ତେବେ ଉତ୍ସବରେ ସାରା ବିଶ୍ୱର ଲୋକେ ସାମିଲ ହେବେ ବୋଲି କୁହାଯାଇଛି। ଉଦଘାଟନ ଉତ୍ସବରେ ଅନୁଷ୍ଠିତ ପରେଡରେ ଅନ୍ତର୍ଜାତୀୟ ଓ ଜାତୀୟ ଗୁଡ଼ି ଉଡାଳୀଙ୍କୁ ଦେଖାଯାଇଛି। ଭାରତରେ କରୋନା ଭାଇରସ ମହାମାରୀ ଯୋଗୁ ଗତ ୨ ବର୍ଷ ହେଲା ଅନ୍ତର୍ଜାତୀୟ ଗୁଡ଼ିଉଡ଼ା ଉତ୍ସବ ବନ୍ଦ ଥିଲା। ତେବେ ଚଳିତବର୍ଷ ଉତ୍ସବ ଆୟୋଜନ ଲୋକଙ୍କୁ ଉତ୍ସାହିତ କରିଛି।

ଚଳିତବର୍ଷ ଉତ୍ସବରେ ୨୦ଟି ଦେଶର ଲୋକେ ଅଂଶଗ୍ରହଣ କରିଛନ୍ତି। ରଙ୍ଗବେରଙ୍ଗ ଗୁଡ଼ିରେ ଆକାଶ ଢାଙ୍କି ହୋଇଯାଇଛି। ଲୋକେ ପାରମ୍ପାରିକ ଗୁଡ଼ି ସହିତ ବିଭିନ୍ନ ଥିମର ଗୁଡ଼ି ମଧ୍ୟ ଉଡାଉଛନ୍ତି। ତେବେ ଚଳିତବର୍ଷ ଗୁଡ଼ିଉଡ଼ା ଉତ୍ସବର ଥିମ ଜି-୨୦ ରଖାଯାଇଛି। ଜାନୁୟାରୀ ୮ ତାରିଖରେ ଉଦଘାଟିତ ହୋଇଥିବା ଏହି ଉତ୍ସବ ଏଠାରେ ୧୪ ତାରିଖ ଦିନ ଉଦଯାପିତ ହେବ।