ପାକିସ୍ତାନ ଜେଲରେ ଭାରତୀୟ ମାଛ ଧରାଳିଙ୍କ ମୃତ୍ୟୁ ; ଦୁଇ ମାସ ପରେ ମିଳିଲା ଶବ

Published By : Prameya-News7 Bureau | December 02, 2018 IST

ଉନା ୨/୧୨ : ପାକିସ୍ତାନ ଜେଲରେ ଜଣେ ଭାରତୀୟ ମାଛ ଧରାଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ମୃତ୍ୟୁର ଦୁଇ ମାସ ପରେ ମାଛ ଧରାଳିଙ୍କ ମୃତଦେହ ତାଙ୍କ ଘର, ଗୁଜରାଟର ଉନାରେ ପହଞ୍ଚିଥିଲା | ଗତ ସେପ୍ଟେମ୍ବର ମାସରେ ପାକିସ୍ତାନର କରାଚୀ ଜେଲରେ ଗୁଜରାଟର ମାଛ ଧରାଳି, ନାନୁଭାଇ କାନାଭାଇ ସୋଲଙ୍କିଙ୍କ ମୃତ୍ୟୁ ହୋଇଯାଇଥିଲା | ଗତ ବର୍ଷ ନଭେମ୍ବର ମାସରେ ପାକିସ୍ତାନର ସମୁଦ୍ର ସୁରକ୍ଷା ସେନା ତାଙ୍କୁ ଗିରଫ କରିଥିଲା | ସେ ଭୁଲ ବଶତଃ ପାକିସ୍ତାନ ସମୁଦ୍ର ସୀମାରେ ପ୍ରବେଶ କରିଦେଇଥିଲେ | ପାକିସ୍ତାନର ସାମୁଦ୍ରିକ ସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା | ବର୍ଷେ ହେଲା ତାଙ୍କ ରିହାଇ କୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଟଣାଓଟରା ଚାଲିଥିଲା | ତେବେ ନାନୁଭାଇ ନିଜେ ଭାରତ ନଫେରି ତାଙ୍କ ମୃତଦେହ ଫେରିବା ଏନେଇ କେହି କଳ୍ପନା ମଧ୍ୟ କରିନଥିଲେ | କରାଚୀ ଜେଲରେ ନାନୁଭାଇଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସରକାର | ତାଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ନା ତାଙ୍କୁ ଜାଣିଶୁଣି ମାରିଦିଆ ଯାଇଛି ସେଇଟା ଏବେ ପ୍ରଶ୍ନ ଘେରରେ | ନାନୁଭାଇଙ୍କ ମୃତ୍ୟୁରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି | ଗାଁର ସରପଂଚ କହିଛନ୍ତି ଯେ, ପାକିସ୍ତାନକୁ ଆମ ମାଛ ଧରାଳିଙ୍କ ସହ ଏଭଳି ବ୍ୟବହାର କରିବା ଅନୁଚିତ | ତେବେ ଭବିଷ୍ୟତରେ ପାକିସ୍ତାନ ଭାରତୀୟ ମାଛ ଧରାଳିଙ୍କ ଭାବନାକୁ ବୁଝିବା ବୋଲି ସେମାନେ ଆଶା କରିଛନ୍ତି | ୪୫ ବର୍ଷ ବୟସ୍କ ନାନୁଭାଇଙ୍କ ମୃତ୍ୟୁ ସେପ୍ଟେମ୍ବର ୨୦ ତାରିଖରେ କରାଚୀ ଜେଲରେ ହୋଇଥିଲା | ତାଙ୍କ ମୃତଦେହକୁ ଦୁଇ ମାସ ପର୍ଯ୍ୟନ୍ତ ଇଦହି ଫାଉଣ୍ଡେସନର ଶବ ଘରେ ରଖାଯାଇଥିଲା | ଦୁଇ ମାସ ପରେ ତାଙ୍କ ଶବକୁ ଘରଲୋକଙ୍କ ପାଖକୁ ପଠାଇ ଦିଆଯିଛି | ସୂଚନାଯୋଗ୍ୟ ଯେ, ଏହି ବର୍ଷ ଅଗଷ୍ଟ ୧୩ ତାରିଖ ଦିନ ଭାରତରେ ବନ୍ଦୀ ଥିବା ୭ଜଣ ପାକିସ୍ତାନୀ କଏଦୀଙ୍କୁ ଛାଡି ଦିଆଯାଇଥିଲା | ପାକିସ୍ତାନ ମଧ୍ୟ ୨୯ ଜଣ ଭାରତୀୟ କଏଦୀଙ୍କୁ ଛାଡି ଦେଇଥିଲା | ସୂଚନା ମୁତାବକ, ଏବେ ମଧ୍ୟ ଭାରତର ୪୬୦ ଜଣ ଭାରତୀୟ ମାଛ ଧରାଳି ପାକିସ୍ତାନ ଜେଲରେ କଏଦ ଅଛନ୍ତି | ଏପଟେ ଭାରତ ଜେଲରେ ୯୦ ଜଣ ପାକିସ୍ତାନୀ ମାଛ ଧରାଳି କଏଦ ହୋଇ ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.