୪୦ ଲକ୍ଷ ଟଙ୍କାର ଗାଡି ପାଇଁ ୩୪ ଲକ୍ଷର ନମ୍ବର: ଭିଆଇପି ନମ୍ବର ପାଇଁ ହୋଇଥାଏ ନିଲାମୀ
29/11/2020 at 1:03 PM

ଗାନ୍ଧିନଗର ୨୯/୧୧ : ଦୁନିଆରେ ଅନେକ ଗାଡି ସୌଖିନ ଲୋକ ଅଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଗାଡି ନମ୍ବର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥାନ୍ତି। ଦୁବାଇ ଓ ସାଉଦି ଆରବରେ ଏହିଭଳି ଅନେକ ଧନୀକ ଶ୍ରେଣୀର ଲୋକ ଅଛନ୍ତି। ମହଙ୍ଗା ଗାଡି କିଣିବା ଏମାନଙ୍କ ସଉକ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଦୁବାଇ କି ସାଉଦି ଆରବର ନୁହେଁ ବରଂ ଭାରତର। ଜଣେ ଭାରତୀୟ ବ୍ୟବସାୟୀ ଭିଆଇପି ନମ୍ବର ପାଇଁ ଗାଡି ଦାମ ବରାବର ଖର୍ଚ୍ଚ କରିଛନ୍ତି।
ବେଳେ ଲୋକଙ୍କ କିଛି ଖାସ ଅଙ୍କ ଥାଏ କିମ୍ବା ଲକି ନମ୍ବର ଥାଏ ଯେଉଁଥିପାଇଁ ସେମାନେ ଯେତେ ଇଚ୍ଛା ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତିନାହିଁ। ଗୁଜରାଟର ବ୍ୟବସାୟୀ ଆଶିକ ପଟେଲ ମଧ୍ୟ ଏମିତି ଏକ କାମ କରିଛନ୍ତି। ଆଶିକ ୪୦ ଲକ୍ଷ ଟଙ୍କାରେ ଏକ ଫର୍ଚୁନର କାର କିଣିଥିଲେ। ଏହାପରେ ସେ ନିଜ ପାଇଁ ଭିଆଇପି ନମ୍ବର ୦୦୭ ନମ୍ବର ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କାର୍ ବ୍ଲଗ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଆଶିକ ପଟେଲଙ୍କୁ ୦୦୭ ନମ୍ବର ଦରକାର ଥିଲା। ଏହି ନମ୍ବର ତାଙ୍କ ପାଇଁ ଲକି ଏବଂ ଏହି ନମ୍ବର ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି ସେ ବିଶ୍ୱାସ କରନ୍ତି। ଏଥିପାଇଁ ସେ ଏହି ନମ୍ବର ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ସାଧାରଣତଃ ଭିଆଇପି ନମ୍ବର ନିଲାମୀ ପ୍ରକ୍ରିୟା ଜରିଆରେ ମିଳିଥାଏ। ନିଲାମୀ ପ୍ରକ୍ରିୟା ଅନୁସାରେ ଯେଉଁ ବ୍ୟକ୍ତି ସବୁଠାରୁ ଅଧିକ ବୋଲି ଲଗାନ୍ତି ନମ୍ବର ତାଙ୍କୁ ମିଳିଥାଏ। ରିପୋର୍ଟ ଅନୁସାରେ ୦୦୭ ନମ୍ବରର ବୋଲି ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିଲା। ଶେଷ ଆଡକୁ ଏହି ନମ୍ବର ୨୫ ଲକ୍ଷ ଯାଏଁ ପହଞ୍ଚି ସାରିଥିଲା। ନିଲାମୀ ଶେଷ ହେବାକୁ ମାତ୍ର ୭ ମିନିଟ୍ ବାକିଥିଲା। ସେତେବେଳେ ଆଶିକ ପଟେଲ ୩୪ ଲକ୍ଷ ଟଙ୍କା ବୋଲି ଲଗାଇ ନମ୍ବର ନିଜ ନାଁକୁ କରିଥିଲେ। ତେବେ ସବୁଠାରୁ ଖାସ କଥା ହେଲା ଆଶିକଙ୍କ ଗାଡି ଓ ନମ୍ବର ଦାମ ମଧ୍ୟରେ ମାତ୍ର ୬ ଲକ୍ଷ ଟଙ୍କା ଅନ୍ତର ରହିଛି। ସେ ୩୪ ଲକ୍ଷ ଟଙ୍କା ଦେବାପରେ ଆରଟିଓରୁ ତାଙ୍କୁ ଏହି ନମ୍ବର ମିଳିଯିବ।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଙ୍କ ଉପରେ ବିଶ୍ୱାସ କରନ୍ତି। ବଡ ବଡ ଖେଳାଳି ମଧ୍ୟ ନିଜ ଜର୍ସିରେ ନିଜର ଲକି ନମ୍ବର ଲେଖାଇଥାନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ୧୮ ନମ୍ବର ଜର୍ସି ପିନ୍ଧନ୍ତି। କିଛି ରିପୋର୍ଟ ଅନୁଯାୟୀ ୧୮ କୋହଲିଙ୍କ ଲକି ନମ୍ବର। କିଛି ବଡ ବଡ ଫିଲ୍ମ ତାରକା ମଧ୍ୟ ନିଜ ନମ୍ବର ଅନୁଯାୟୀ ସେହି ତାରିଖରେ ଫିଲ୍ମ ରିଲିଜ କରିଥାନ୍ତି।