ଗାନ୍ଧିନଗର ୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ତାରିଖ ଘୋଷଣା କରିଛନ୍ତି। ଏହା ସହ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆଗାମୀ ନିର୍ବାଚନ ଲଢିବା ଲାଗି ୪ ହଜାର ପ୍ରାର୍ଥୀ ଟିକେଟ ଆଶାୟୀ ଅଛନ୍ତି। ଯାହା ୨୦୧୭ ବିଧାନସଭା ନିର୍ବାଚନରେ ଟିକେଟ୍ ଆଶାୟୀଙ୍କ ତୁଳନାରେ ୧୧ଶହ ଅଧିକ ବୋଲି କୁହାଯାଇଛି।
ଆଗାମୀ ନଭେମ୍ବର ୬ ଓ ୭ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ତେବେ ତା ପୂର୍ବରୁ ତୃଣ ମୂଳ ସ୍ତରରେ ପାର୍ଟିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରାର୍ଥୀ ଚୟନ ଲାଗି ପ୍ରକ୍ରିୟାରେ ସଂଗୃହୀତ ନାମ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବା ପୂର୍ବରୁ ରାଜ୍ୟ ନିର୍ବାଚନ କମିଟିରେ ଆଲୋଚନା କରାଯାଇ ସ୍ଥିରିକୃତ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସି.ଆର.ପାଟିଲ ଗୁରୁବାର କହିଛନ୍ତି।
ସେ କହିଛନ୍ତି ଯେ ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଅଧିକ ୧୧୦୦ ନେତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ଏହା ନିର୍ବାଚନରେ ପାର୍ଟିର ବିଜୟ ସମ୍ଭାବନାକୁ ପ୍ରମାଣିତ କରୁଥିବା ପାଟିଲ କହିଛନ୍ତି। ତେବେ ସବୁ ଆଶାୟୀଙ୍କୁ ଟିକେଟ ମିଳିପାରିବନି, ହେଲେ କେନ୍ଦ୍ରୀୟ ସଂସଦୀୟ ବୋର୍ଡଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କ ବିଜୟ ଲାଗି ସମସ୍ତେ ମିଳିମିଶି କାମ କରିବେ ବୋଲି ପାଟିଲ କହିଛନ୍ତି।