ଓଡ଼ିଶା କୃଷକଙ୍କୁ ସହଯୋଗ ଯୋଗାଇ ଦେବ ଗୁଜୁରାଟୀ ସଂସ୍ଥା, ମଡେଲ ଦେଖିଲେ ୬୪ ଚାଷୀ
5/02/2023 at 8:53 PM

ଭୁବନେଶ୍ଵର: ଲାଇଭଲିହୁଡ଼ ଅଲଟରନେଟିଭ(ଏଲଆଇ), ନାଫେଡ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଏବଂ ଏସଡିଆରସିର ମିଳିତ ଉଦ୍ୟମରେ ଉନ୍ନତମାନର ଚାଷ ପଦ୍ଧତି ଶିଖିବା ପାଇଁ ଗୁଜରାଟ ଯାଇଥିବା ଓଡ଼ିଶାର ୬୪ ଚାଷୀଙ୍କ ସମେତ ମୋଚ ୮୦ ଜଣିଆ ପ୍ରତିନିଧି ଦଳ ରବିବାର ଜଳସେଚନର ଗୁଜୁରାଟ ମଡେଲ ଦେଖିଛନ୍ତି । ଏହି ଗସ୍ତ କାଳରେ ରାଜ୍ୟର ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମଏ) ଓଡିଶାର ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଗକୁ ଯିବା ଦିଗରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ଆଇଆରଏମଏ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ ।

ରବିବାର ଦିନ ଚାଷୀମାନେ ଆନନ୍ଦ କୃଷି ବିଶ୍ଵ ବିଦ୍ୟାଳୟରେ ଚାଷୀ ୨୪ ଘଣ୍ଟିଆ କୃଷକ ସହାୟତା କେନ୍ଦ୍ର, ସର୍ଦ୍ଦାର ପଟେଲ କୃଷି ଶିକ୍ଷା ସଂଗ୍ରହାଳୟ ବୁଲିବା ସହ ଇନଷ୍ଟିଟ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟ ଦ୍ୱାରା ଓଡ଼ିଆ ଚିନାବାଦାମ ଚାଷୀଙ୍କ ଗୁଜୁରାଟ ପରିଦର୍ଶନର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଜଳସେଚନର ବିପୁଳ ସମ୍ଭାବନା ଓ ସ୍ୱଳ୍ପ ସାଧନରେ ଗୁଜରାଟ ଚାଷୀମାନେ କରୁଥିବା ବୁନ୍ଦା ଓ ସ୍ପ୍ରିଙ୍କଲିଙ୍ଗ ଜଳସେଚନ ମାଧ୍ୟମରେ କମ ଜଳ ବ୍ୟବହାର କରି ଚାହିଦା ମୁତାବକ ଫସଲ ଉତ୍ପାଦନ ବିଷୟରେ ଗୁଜରାଟ ଗ୍ରୀନ ରିଭୋଲ୍ୟୁସନ କମ୍ପାନୀ ଲିମିଟେଡ଼ ଟେକ୍ନିକାଲ ଅଫିସର ମାଶରୀ ଭୟାଭାଇ ପିଠିଆଙ୍କ ଠାରୁ ଶିଖିଥିଲେ । କୃଷକ ସହାୟତା କେନ୍ଦ୍ରରେ ଚାଷୀମାନେ କୃଷି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ପାଇଁ ସ୍ୱତନ୍ତ୍ର କିଓସ୍କ, ଚାଷୀ ବିହନ, ଫସଲରେ ନିୟନ୍ତ୍ରଣ, ଚାଷର ବିଭିନ୍ନ ଉପାୟ, ଫୋନ ଦ୍ୱାରା ବିଭିନ୍ନ କୃଷି ସମ୍ବନ୍ଧୀୟ ସୂଚନା ଓ ଚାଷ ପାଇଁ ୧୯୪୭ରୁ ପ୍ରକାଶ ପାଉଥିବା ପତ୍ରିକା ଆଦି ଵିଷୟରେ ଅବଗତ ହୋଇଥିଲେ ।

ଆଇଆରଏମଏ ନିର୍ଦ୍ଦେଶକ ଡା. ଉମାକାନ୍ତ ଦାସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ପରିକଳ୍ପନାରେ ଚାଷୀଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶା ଏବଂ ଓଡ଼ି଼ଶାର ଚାଷୀଙ୍କ ବିକାଶ ପାଇଁ ଦୂରଦୃଷ୍ଟି ରହିଛି । ଚାଷୀ ମାନେ ଗୁଜରାଟରୁ ଯାହା ବି ଶିଖିଛନ୍ତି, ତାହା ଓଡିଶାରେ ପ୍ରଣୟନ କରିବା ପାଇଁ ଚାଷୀ ମାନେ ସଂକଳ୍ପ ନିଅନ୍ତୁ । ଗୁଜରାଟ ସରକାରଙ୍କ ଇନୋଭେସନ ହବର ସିଇଓ ହିରଣମୟ ମହାନ୍ତି କହିଛନ୍ତି ଯେ ଓଡିଶାରେ ଅପାର ସୁଯୋଗ ଓ ସମ୍ଭାବନା ରହିଛି । କିନ୍ତୁ ଏହାକୁ ପୁରା କରିବା ପାଇଁ ଯେଉଁ ମାଧ୍ୟମ ଦରକାର ଥିଲା, ଲାଇଭଲିହୁଡ୍ ଅଲଟରନେଟିଭ୍ ତାହା ସମ୍ପୂର୍ଣ୍ଣ କରିଛି । ଚାଷୀଙ୍କୁ ଗୁଜରାଟ ପଠାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ପଦକ୍ଷେପ ନିଶ୍ଚିତ ପ୍ରଶଂସନୀୟ । ଶ୍ରୀ ପ୍ରଧାନ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ଏହା କେବଳ ସୁଯୋଗ ନୁହେଁ, ବରଂ ସମ୍ଭାବନାକୁ ମଧ୍ୟ ସଫଳ କରିବ ବୋଲି ସେ କହିଥିଲେ । ଉଲ୍ଲେଖନୀୟ ଯେ, ଆନନ୍ଦ ବିଶ୍ୱବିଦ୍ୟାଳୟ ତରଫରୁ ଓଡ଼ିଆ ଚାଷୀଙ୍କୁ ବିଭିନ୍ନ ଫସଲର ଉନ୍ନତମାନର ବିହନ ଯୋଗାଇ ଦିଆଯାଇଥିଲା।
ଏହି ଗସ୍ତ କାଳରେ ମାନ୍ୟବର ଗୁଜୁରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବରଥ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ରମେଶ କୁମାର ସାଙ୍ଗଭୀ ଚାଷୀଙ୍କୁ ଭେଟି ପ୍ରାକୃତିକ ଚାଷ ଉପାୟକୁ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ ।