IPL 2023: ଉଦଘାଟନୀ ମ୍ୟାଚ୍ରେ ଗୁଜରାଟ୍ ଟାଇଟନ୍ସର ଆକର୍ଷଣୀୟ ବିଜୟ, ପରାଜୟରୁ ଚେନ୍ନାଇର ଅଭିଯାନ ଆରମ୍ଭ
31/03/2023 at 11:43 PM

ଅହମ୍ମଦାବାଦ: ଗତ ସଂସ୍କରଣର ବିଜୟ ଯାତ୍ରାକୁ ଜାରି ରଖିଛି ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ। ଋତୁରାଜ ଗାଏକଓ୍ଵାଡଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଶୁଭମନ ଗିଲ୍ଙ୍କ ଅର୍ଦ୍ଧଶତକ। ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ର ଉଦଘାଟନୀ ରୋମାଞ୍ଚକର ମ୍ୟାଚ୍ରେ ଆକର୍ଷଣୀୟ ବିଜୟ ଲାଭ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଟ। ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଓ୍ଵିକେଟ୍ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଗୁଜରାଟ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଋତୁରାଜ ଗାଏକଓ୍ଵାଡଙ୍କ ୯୨ ରନର ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲା। ଜବାବରେ ଶୁବମାନ ଗିଲ୍ଙ୍କ ୬୩ ରନ ଦମରେ ଗୁଜରାଟ ଟାଇଟନ୍ସ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।ରଶିଦ ଖାନ ୧୦ ରନ ଏବଂ ରାହୁଲ ତେଓ୍ଵତିଆ ୧୫ ରନରେ ଅପରାଜିତ ଥିଲେ। ଅନ୍ୟପଟେ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ।
୧୭୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହ ୩.୫ ଓଭରରେ ୩୭ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଶାହ ୧୬ ବଲ୍ରୁ ୨ ଚୌକା ଏବଂ ୨ ଛକା ସହ ୨୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଏବଂ ସାଇ ସୁଦର୍ଶନ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡି ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। ଦଳୀୟ ସ୍କୋର ୯୦ ରନରେ ସାଇ ସୁଦର୍ଶନ(୨୨) ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅର୍ଦ୍ଧଶତକ ହାସଲ କରି ଦଳର ମୋର୍ଚ୍ଚା ସମ୍ଭାଳିଥିବା ଶୁଭମନ ଗିଲ୍ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହେବା ଗୁଜରାଟକୁ ଝଟକା ଦେଇଥିଲା। ଗିଲ୍ ମାତ୍ର ୩୬ ବଲ୍ରୁ ୬ ଚୌକା ଏବଂ ୩ ଛକା ସହ ୬୩ ରନ କରିଥିଲେ। ବିଜୟ ଶଙ୍କର ୨୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରାହୁଲ ତେଓ୍ଵତିଆ(୧୫) ଏବଂ ରଶିଦ ଖାନ ୩ ବଲ୍ରୁ ୧୦ ରନ କରି ଦଳକୁ ବିଜୟୀ କରାଇଛନ୍ତି।
ଚେନ୍ନାଇ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗରଗେକର ୩୬ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।
ଚେନ୍ନାଇ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଦଳୀୟ ସ୍କୋର ୧୪ ରନରେ ପ୍ରଥମ ଝଟକା ଲାଗିଥିଲା। ଡେଭନ କନଓ୍ଵେ(୧) ଆଉଟ୍ ହୋଇଥିଲେ। ଏହା ପରେ ଅନ୍ୟ ଓପନର ଋତୁରାଜ ଗାଏକଓ୍ଵାଡ ଏବଂ ମୋଇନ ଅଲ୍ଲୀ ଦ୍ଵିତୀୟ ଓ୍ଵିକେଟ୍ ଲାଗି ୩୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୫୦ ରନରେ ମୋଇନ ଅଲ୍ଲୀ(୨୩) ପାଭିଲିୟନ ଫେରିଥିଲେ। ବେନ ଷ୍ଟୋକ୍ସ(୭) ଦଳକୁ ନିରାଶ କରିଥିଲେ।
ଅନ୍ୟପଟେ ଋତୁରାଜ ଗାଏକଓ୍ଵାଡ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଅମ୍ବତି ରାୟୁଡୁଙ୍କ ସହ ମିଶି ଚତୁର୍ଥ ଓ୍ଵିକେଟ୍ରେ ୫୧ ରନ ଯୋଡିଥିଲେ। ୧୨୧ ରନ ସ୍କୋରରେ ରାୟୁଡୁ(୧୨) ଆଉଟ୍ ହୋଇଥିଲେ। ଏହା ପରେ ଚେନ୍ନାଇ ନିୟମିତ ଓ୍ଵିକେଟ୍ ହରାଇବାରୁ ରନ ଗତି ଧିମେଇ ଯାଇଥିଲା। ଶତକ ଆଡକୁ ଅଗ୍ରସର ହେଉଥିବା ଋତୁରାଜ ୯୨ ରନ କରି ଆଉଟ୍ ହେବା ଚେନ୍ନାଇ ସମର୍ଥକଙ୍କୁ ନିରାଶ କରିଛି। ସେ ୫୦ ବଲ୍ରୁ ୪ ଚୌକା ଏବଂ ୯ ଛକା ବଳରେ ଏହି ସ୍କୋର କରିଥିଲେ। ରବୀନ୍ଦ୍ର ଜାଡେଜା(୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୭ ବଲ୍ରୁ ଗୋଟିଏ ଲେଖାଏଁ ଛକା ଏବଂ ଚୌକା ସହ ୧୪ ରନ କରି ଅପରାଜିତ ଥିଲେ।
ଗୁଜରାଟ୍ ଟାଇଟନ୍ସ ପକ୍ଷରୁ ରଶିଦ ଖାନ ୪ ଓଭରରେ ୨୬ ରନ ଦେଇ ୨ଟି, ମହମ୍ମଦ ଶାମି ୨୯ ରନ ଦେଇ ୨ଟି ଏବଂ ଅଲଜାରୀ ଯୋଶେଫ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।