ଅହମ୍ମଦାବାଦ: ଶୁଭମନ ଗିଲ୍ଙ୍କ ଶତକ ପରେ ମହମ୍ମଦ ଶାମି ଏବଂ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ବଳରେ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୬୨ତମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଟାଇଟନ୍ସ ୩୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ବିଜୟ ସହ ଗୁଜରାଟ୍ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରେ ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ହାଇଦ୍ରାବାଦ ଦ୍ଵିତୀୟ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ଟାଇଟନ୍ସ ଶୁଭମନ ଗିଲ୍ଙ୍କ ୧୦୧ ରନ ଏବଂ ସାଇ ସୁଦର୍ଶନଙ୍କ ୪୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୫୩ ରନ କରିଛି। ଦଳ ପକ୍ଷରୁ ଏକ ମାତ୍ର ବ୍ୟାଟର ଭାବେ ହେନରିଚ୍ କ୍ଲାସେନ ୬୪ ରନର ଇନିଂସ ଖେଳିଥିଲେ। ବୋଲିଂରେ ୫ ଓ୍ଵିକେଟ୍ ନେଇଥିବା ଭୁବନେଶ୍ଵର କୁମାର ବ୍ୟାଟିଂରେ ୨୭ ରନ କରିଥିଲେ। ଗୁଜରାଟ୍ ପକ୍ଷରୁ ମହମ୍ମଦ ଶାମି ଏବଂ ମୋହିତ ଶର୍ମା ୪ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି।
୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦର ଆରମ୍ଭ ନିରାଶଜନକ ଥିଲା। ୧୧ ରନ ଭିତରେ ଦଳ ଦୁଇ ଓପନର ଅନମୋଲପ୍ରୀତ ସିଂ(୫) ଏବଂ ଅଭିଷେକ ଶର୍ମା(୪)ଙ୍କ ଓ୍ଵିକେଟ୍ ହରାଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଶାମି ଘାତକ ବୋଲିଂ କରି ହାଇଦ୍ରାବାଦର ଟପ୍ ଅର୍ଡର ବିଧ୍ଵସ୍ତ କରିଥିଲେ। ୪୫ ରନ ଭିତରେ ହାଇଦ୍ରାବାଦ ଅଧା ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ଆଡନ ମାରକ୍ରମ(୧୦), ରାହୁଲ ତ୍ରିପାଠୀ(୧) ଏବଂ ସନଭୀର ସିଂ(୭) କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲି। ମଧ୍ୟ କ୍ରମରେ ହେନରିଚ କ୍ଲାସେନ ଦଳର ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ହେଲେ ଅନ୍ୟପଟୁ ତାଙ୍କୁ ଉଚିତ୍ ସହାୟତା ମିଳିନଥିଲା। ଅବଦୁଲ ସାମଦ ମଧ୍ୟ ୪ ରନ କରି ପାଭିଲିୟନ ଫେରିଥିଲେ। କ୍ଲାସେନ ୪୪ ବଲ୍ରୁ ୪ ଚୌକା ଏବଂ ୩ ଛକା ସହ ୬୪ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ଭୁବନେଶ୍ଵର କୁମାର ୨୭ ରନ କରିଥିଲେ। ମୟଙ୍କ ମାର୍କେଣ୍ଡ ୧୮ ରନରେ ଅପରାଜିତ ଥିଲେ। ଶେଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୧୫୪ ରନ କରିପାରିଥିଲା।
ଗୁଜରାଟ୍ ପକ୍ଷରୁ ମହମ୍ମଦ ଶାମି ୨୦ ରନ ଦେଇ ୪ଟି ଓ୍ଵିକେଟ୍ ନେବା ହାଇଦ୍ରାବାଦର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ମୋହିତ ଶର୍ମା ୨୮ ରନରେ ୪ ଓ୍ଵିକେଟ୍ ହାସଲ କରି ପ୍ରତିପକ୍ଷ ଦଳର ନିମ୍ନକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।