ସାଇସୁଦର୍ଶନ ଓ ଶୁଭମନ ଗିଲ୍‌ଙ୍କର ଦମ୍‌ଦାର ଶତକ: ଚେନ୍ନାଇ ଆଗରେ ବିଶାଳ ରନ୍ ଟାର୍ଗେଟ୍ ରଖିଲା ଗୁଜରାଟ ଟାଇଟନ୍ସ

Published By : Prameya-News7 Bureau | May 10, 2024 IST

IPL X

ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସର ସୁପର ଶୋ। ଓପନର ଶୁଭମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ। ଦୁଇ ଓପନରଙ୍କ ଜବରଦସ୍ତ ଶତକ ସ୍କୋର ବଳରେ ଚେନ୍ନାଇ ଆଗରେ ବିଶାଳ ରନ୍ ଟାର୍ଗେଟ୍ ରଖିଲା ଗୁଜରାଟ ଟାଇଟନ୍ସ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ଖେଳି ୨ ୱିକେଟ ବିନିମୟରେ ୨୩୧ ରନ୍ କରିଛି। ଚେନ୍ନାଇକୁ ମ୍ୟାଚ୍‌ ଜିତିବାକୁ ହେଲେ ୨୩୨ ରନ୍‌ର ଟାର୍ଗେଟ୍ ହାସଲ କରିବାକୁ ପଡ଼ିବ।   

ଶୁକ୍ରବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଇପିଏଲ୍ ୨୦୨୪ର ୫୯ ତମ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚ୍‌ରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ବ୍ୟାଟର ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ କମାଲ ବ୍ୟାଟିଂ କରିଛନ୍ତି। ଏହି ଦୁଇ ବ୍ୟାଟର ଆରମ୍ଭରୁ ଆସି ୧୭ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଶୁଭମନ ଗିଲ୍‌ ମାତ୍ର ୫୦ ବଲ୍‌ରେ ୯ଟି ଚୌକା ଓ ୬ଟି ଛକ୍କା ମାରି ଦମ୍‌ଦାର ଶତକ ହାସଲ କରିଥିଲେ। ସେ ଚୌକା ମାରି ଶତକ ପୂରା କରିଥିଲେ। ସେହିପରି ସାଇ ସୁଦର୍ଶନ ମଧ୍ୟ ୫୦ ବଲ୍‌ରେ ୧୦୩ ରନ୍ କରିଥିଲେ। ଶେଷ ବେଳକୁ ଛକ୍କା ମାରି ଶତକ ପୂରା କରିଥିଲେ ସୁଦର୍ଶନ। ଶତକ କରିବା ପାଇଁ ସେ ୫ଟି ଚୌକା ଓ ୭ଟି ଛକ୍କା ମାରିଥିଲେ।

ତେବେ ୧୭.୧ ବଲ୍‌ରେ ଛକ୍କା ମାରି ଶତକ ପୂରା କରିବା ପରେ ସାଇ ସୁଦର୍ଶନ ତୁଷାର ପାଣ୍ଡେଙ୍କ ପରବର୍ତ୍ତି ବଲ୍‌ରେ ଶିବମ ଦୂବେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଫଳରେ ୧୭.୨ ଓଭରରେ ଗୁଜରାଟ ସାଇସୁଦର୍ଶନଙ୍କ ନାଁରେ ପ୍ରଥମ ୱିକେଟ୍ ହରାଇଥିଲା। ଦ୍ୱିତୀୟ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିଲେ ଡେଭିଡ୍ ମିଲର। ହେଲେ ତୁଷାର ପାଣ୍ଡେ ପୁଣି ଦଳକୁ ଝଟ୍‌କା ଦେଇଥିଲେ। ୧୭ ଓଭର ଶେଷ ବଲ୍‌ରେ ତୁଷାର ଆଉ ଜଣେ ଓପନର ଶୁଭମନ ଗିଲ୍‌ଙ୍କୁ ଆଉଟ୍ କରିଥିଲେ। ଫଳରେ ୧୭ ଓଭରରେ ଗୁଜରାଟ ୨ ୱିକେଟ୍ ହରାଇ ୨୧୦ରୁ ଅଧିକ ରନ୍ କରିସାରିଥିଲା। 

ଏହାପରେ ଡେଭିଡ୍ ମିଲର ଓ ଶାହାରୁଖ ଖାନ୍ ଦଳର ସ୍କୋର୍‌କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଗୁଜରାଟର ରନ୍‌ ସଂଗ୍ରହର ଗତି କମିଯାଇଥିଲା। ୧୯ ଓଭର ୪ ବଲ୍‌ରେ ଡେଭିଡ୍ ମିଲର ବଡ଼ ଶଟ୍ ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମୋଏନ୍ ଅଲିଙ୍କ ହାତରୁ କ୍ୟାଚ୍ ଖସିଯିବାରୁ ତାଙ୍କ ୱିକେଟ୍ ଯିବାରୁ ରକ୍ଷା ପାଇଯାଇଥିଲା। ମିଲର ବ୍ୟକ୍ତିଗତ ଭାବେ ୧୧ ବଲ୍‌ରେ ୧୬ ରନ୍ କରିଥିବା ବେଳେ ଶାହାରୁଖ ଖାନ୍ ୩ ବଲ୍‌ରେ ୨ ରନ୍ କରି ନଟ୍‌ଆଉଟ୍ ରହିଥିଲେ। ଫଳରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। 

ଅନ୍ୟପଟେ ଚେନ୍ନାଇର ବୋଲିଂ ଆଜି ସବୁଠାରୁ ଖରାପ ହୋଇଛି। କୌଣସି ବୋଲର ଗୁଜରାଟର ଦୁଇ ଓପନରଙ୍କୁ ଅଟକାଇ ପାରି ନଥିଲେ। ଅନେକ ଚେଷ୍ଟା ପରେ ୧୭ ଓଭର ବୋଲିଂ କରିବାକୁ ଆସିଥିବା ତୁଷାର ଦେଶପାଣ୍ଡେ ଦୁଇ ଓପନରଙ୍କ ୱିକେଟ୍ ନେଇଥିଲେ। ଓଭର ୨ ବଲ୍‌ରେ ସୁଦର୍ଶନଙ୍କ ୱିକେଟ୍ ନେଇଥିବା ବେଳେ ଶେଷ ବଲ୍‌ରେ ଗିଲ୍‌ଙ୍କର ୱିକେଟ୍ ନେଇଥିଲେ। ତେବେ ଦଳ ପକ୍ଷରୁ ସିମ୍ରଜିତ ସିଂହ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ମାତ୍ର ୩.୫ ଓଭରରେ ସର୍ବାଧିକ ୫୯ ରନ୍ ଦେଇଥିବା ବେଳେ ଡିରେଲ ମିଚେଲ୍ ୪ ଓଭର ବୋଲିଂ କରି ୫୨ ରନ୍ ଦେଇଥିଲେ। ହେଲେ କୌଣସି ୱିକେଟ୍ ନେଇପାରି ନଥିଲେ। କେବଳ ତୁଷାର ପାଣ୍ଡେଙ୍କ ଦୁଇ ୱିକେଟ୍ ଛଡ଼ା ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଲ ହୋଇନଥିଲେ।

    

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.