ଗିଲ୍ଙ୍କ ବିଶାଳ ଶତକ, ମୁମ୍ବାଇ ସାମ୍ନାରେ ପାହାଡ଼ର ବିଜୟ ଲକ୍ଷ୍ୟ
26/05/2023 at 10:08 PM

ଅହମ୍ମଦାବାଦ: ପୁଣି ଥରେ ଗର୍ଜିଲା ଶୁଭମନ ଗିଲ୍ଙ୍କ ବ୍ୟାଟ୍। ଗିଲ୍ଙ୍କ ବିସ୍ଫୋରକ ଶତକ ବଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ଗୁଜରାଟ ଟାଇଟନ୍ସ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ଗୁଜରାଟ୍ ୨୩୩ ରନ କରିଛି। ଶୁଭମନ ଗିଲ୍ ୬୦ ବଲ୍ରୁ ୧୨୯ ରନର ଶତକୀୟ ଇନିଂସ ଖେଳିଛନ୍ତି। ସାଇ ସୁଦର୍ଶନ ୪୩ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ମୁମ୍ବାଇ ସାମ୍ନାରେ ୨୩୪ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିବା ଦଳ ଫାଇନାଲ୍ରେ ମେ ୨୮ ତାରିଖ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଏହା ପୂର୍ବରୁ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ପାରି ନାହାନ୍ତି ବୋଲର।
ଟସ୍ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୁଜରାଟର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହା ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ିଥିଲେ। ଶାହା ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପଡ଼ିଆରେ ଗିଲ୍ଙ୍କ ପାଓ୍ଵାର ଶୋ ଦେଖିବାକୁ ମିଳିଥିଲା। ସେ ପଡ଼ିଆରେ ଚତୁର୍ଦ୍ଦିଗରେ ଚୌକା ଏବଂ ଛକା ବର୍ଷା କରି ମୁମ୍ବାଇ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ। ସେ ସାଇ ସୁଦର୍ଶନଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ଗିଲ୍ ନିଜର ଚମତ୍କାର ଫର୍ମ ବଜାୟ ରଖି ଚଳିତ ସଂସ୍କରଣରେ ତୃତୀୟ ଶତକ ହାସଲ କରିଥିଲେ। ସେ ଏବଂ ସାଇ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍ରେ ୧୩୮ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।
ଶେଷରେ ୧୭ତମ ଓଭରରେ ଗିଲ୍ ପାଭିଲିୟନ ଫେରିଥିଲେ। ସେ ୬୦ ବଲ୍ରେ ୭ ଚୌକା ଏବଂ ୧୦ ଛକା ସହ ୧୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷରେ ଗୁଜରାଟ୍ ୩ ଓ୍ଵିକେଟ୍ ହରାଇ ୨୩୩ ରନ କରିଛି। ସାଇ ସୁଦର୍ଶନ ୩୧ ବଲ୍ରୁ ୫ ଚୌକା ଏବଂ ୧ ଛକା ସହ ୪୩ ରନରେ ରିଟାୟର୍ଡ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରୁ ୨୮ ରନ କରି ଅପରାଜିତ ଥିଲେ।