ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତ ଭୋଟିଂ, କମ ମତଦାନ ଗୁଜରାଟରେ କାହାକୁ ଦେବ ଲାଭ, କାହାର ବଢିବ ଚିନ୍ତା ?

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: ଗୁଜାରଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ୮୯ ଆସନ ପାଇଁ ଗୁରୁବାର ହୋଇଥିବା ମତଦାନରେ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ୍ କରିଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ସଂଧ୍ୟା ୫ଟା ସୁଦ୍ଧା ମାତ୍ର ୬୦.୨୦ ପ୍ରତିଶତ ଭୋଟିଂ ହୋଇଛି । ୨୦୧୮ ବିଧାନସଭା ନିର୍ବାଚନ ତୁଳନାରେ ଏହି ସଂଖ୍ୟା ବହୁ କମ । ଗତ ନିର୍ବାଚନରେ ୬୮ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ରାଜନୈତିକ ବିଶ୍ଲେଷକ ଏହି ମତଦାନର ଅର୍ଥ ବାହାର କରିବା ଆରମ୍ଭ କରିଛନ୍ତି ।

ଭୋଟିଂ ସକାଳ ୮ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ଶେଷ ହୋଇଥିଲା । ଭୋଟିଂ ପ୍ରତିଶତର ଆହୁରି ଅଧିକ ହେବାର ସମ୍ଭାବନା ରହିଛି । ଛୋଟିଆ-ଛୋଟିଆ ଘଟଣାକୁ ଛାଡି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଗୁଜରାଟ, ସୌରାଷ୍ଟ୍ର ଏବଂ କଚ୍ଛ କ୍ଷେତ୍ରର ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସାଧାରଣତଃ ଧରାଯାଏ ଯେ କୌଣସି ନିର୍ବାଚନରେ କମ ମତଦାନ ହେଲେ ତାହା କ୍ଷମତାରେ ଥିବା ଦଳ ପାଇଁ ଭଲ ହୋଇଥାଏ । ରାଜନୈତିକ ବିଶାରଦଙ୍କ କହିବା ଅନୁସାରେ ଅନେକ ଭୋଟର୍ସ ଯେତେବେଳେ ସରକାରଙ୍କ କାମରେ ସନ୍ତୁଷ୍ଟ ରୁହନ୍ତି କିମ୍ୱା ପରିବର୍ତ୍ତନ ଚାହାନ୍ତି ନାହିଁ ତେବେ କମ ମତଦାତା ବୁଥ ଯାଏ ଯାଆନ୍ତି । ଭୋଟିଂ ପ୍ରତିଶତ ବଢିବାକୁ ପରିବର୍ତ୍ତନର ସଂକତେ ରୂପେ ଦେଖାଯାଉଛି । କିନ୍ତୁ ଏହି ଦାବିକୁ ଜୋର ଦେଇ ଏହା କୁହାଯାଇ ପାରିବ ନାହିଁ । ତେବେ କାହାକୁ ଲାଭ ମିଳିବ କାହାର କ୍ଷତି ହେବ ଆସନ୍ତା ଡିସେମ୍ୱର ୮ରେ ମତଗଣନା ପରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.