ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା: ଅଜନ୍ତା ମେନୁଫେକ୍ଚରିଂ ଲିମିଟେଡକୁ ହାଇକୋର୍ଟଙ୍କ ନୋଟିସ୍‌

Published By : Prameya-News7 Bureau | December 21, 2022 IST

ଅହମ୍ମଦାବାଦ ୨୧।୧୨:  ଗୁଜରାଟ ହାଇକୋର୍ଟରେ ବୁଧବାର ମୋରବି ପୋଲ ଦୁର୍ଘଟଣା ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ମୋରବି ସସ୍‌ପେନସନ୍‌ ବ୍ରିଜ୍‌ର ରକ୍ଷଣାବେକ୍ଷଣ ଓ ସଞ୍ଚାଳନ କରୁଥିବା କମ୍ପାନୀ ଅଜନ୍ତା ମେନୁଫେକ୍ଚରିଂ ଲିମିଟେଡକୁ ନୋଟିସ୍ ଜାରି କରିଛନ୍ତି। ଗତ ଅକ୍ଟୋବର ମାସରେ ଏହି ପୋଲଟି ଅଚାନକ ନଦୀକୁ ଛିଡିପଡିଥିଲା। ଫଳରେ ପୋଲରେ ଥିବା ୧୩୫ ଜଣଙ୍କର ମୃତ୍ୟୁ ହୋଇଛି।

ଏ ନେଇ ହାଇକୋର୍ଟରେ ଏକ ପିଟିସନ ରୁଜୁ ହୋଇଥିବା ବେଳେ  କୋର୍ଟ ମାମଲାର ସ୍ୱତଃ ସଂଜ୍ଞାନ ନେଇ ଆରମ୍ଭ କରିଥିବା କାର୍ଯ୍ୟାନୁଷ୍ଠାନରେ କମ୍ପାନୀକୁ ପ୍ରତିବାଦୀ କରିବାକୁ ଦାବି କରାଯାଇଛି।  ଆବେଦନ ଉପରେ ଶୁଣାଣି କରି ମୁଖ୍ଯ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ଆଶୁତୋଷ ଶାସ୍ତ୍ରୀଙ୍କ ଖଣ୍ଡପୀଠ ଅଜନ୍ତା କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ କମ୍ପାନୀକୁ ଦୁର୍ଘଟଣାରେ ହୋଇଥିବା କ୍ଷତି ଭରଣା ଲାଗି ଉତ୍ତରଦାୟୀ କରିବା ନିମନ୍ତେ ଦାବି ହୋଇଛି।  

ସେପଟେ କୋର୍ଟ ମୋରବି ନଗରପାଳିକାର ୪୬ କାଉନସିଲରଙ୍କ ଦ୍ୱାରା ରୁଜୁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ କାଉନସିଲରମାନେ ମାମଲାର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କୁ ସାମିଲ କରିବାକୁ ନିବେଦନ କରିଥିଲେ। ତେବେ କାଉନସିଲରଙ୍କ ଆବେଦନ କୋର୍ଟରେ ଅଗ୍ରାହ୍ୟ ହୋଇଯାଇଥିବା ବେଳେ ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ୧୯ ତାରିଖରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.