ଅହମଦାବାଦର ନୂଆ ନାଁ ହେବ କର୍ଣ୍ଣାବତୀ ! ଫୈଜାବାଦର ନୂଆ ନାଁ ଅଯୋଧ୍ୟା ହେବା ପରେ ଗୁଜରାଟ ସରକାର ବି ଉତ୍ସାହିତ

Published By : Prameya-News7 Bureau | November 07, 2018 IST

ଅହମଦାବାଦ ୭|୧୧:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଫୈଜାବାଦର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖାଯିବା ଘୋଷଣା କରିବାର କିଛି ଘଣ୍ଟା ପରେ ଗୁଜୁରାଟ ସରକାର କହିଛନ୍ତି ସେମାନେ ମଧ୍ୟ ଅହମଦାବାଦ ର ନାମ ପରିବର୍ତ୍ତନ କରିବାକୁ ଆଗ୍ରହୀ । ଯଦି କୌଣସି ଆଇନଗତ ବାଧା ନଉପୁଜେ ତେବେ ସହରର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖାଯିବ । ଗଣମାଧ୍ୟମକୁ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଅହମଦାବାଦ ର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଯଦି କୌଣସି ଆଇନଗତ ବାଧା ନଉପୁଜେ ଏବଂ ସମର୍ଥନ ମିଳେ ତେବେ ଯାଇ ଏହାର ନାମ ପରିବର୍ତ୍ତନ କରାଯିବ । ସେ କହିଛନ୍ତି କି ଲୋକମାନେ ମଧ୍ୟ ଚାହୁଁଛନ୍ତି ଯେ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖାଯିବା ଉଚିତ୍ । ଯଦି ସମର୍ଥନ ମିଳିବ ତେବେ ସହରର ନାମ ପରିବର୍ତ୍ତନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟର କଂଗ୍ରେସ ମୁଖପାତ୍ର ମନୀଷ ଦୋଷୀ ଭାଜପା ସରକାରକୁ ସମାଲୋଚନା କରି କହିଛନ୍ତି ଯେ, ଅହମଦାବାଦର ନାମ ପରିବର୍ତ୍ତନର ପ୍ରତିଶ୍ରୃତି ଶାସକ ଦଳର ଆଉ ଏକ ନାଟକ । ସେ ମଧ୍ୟ କହିଛନ୍ତି ଯେ, ଭାଜପା ପାଇଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପ୍ରସଙ୍ଗ ଏବଂ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ କରିବା ଆଦି ହିନ୍ଦୁମାନଙ୍କର ଭୋଟ୍ ପାଇବା ପାଇଁ ଫନ୍ଦି ଫିକର । ଇତିହାସ ଅନୁସାରେ ଅହମଦାବାଦର ଆଖପାଖ ଅଞ୍ଚଳରେ ଜନବସତି ଦ୍ବାଦଶ ଶତାବ୍ଦୀରୁ ସ୍ଥାପନ ହୋଇଛି । ଏହି ଅଞ୍ଚଳ ପୂର୍ବରୁ ଅଶ୍ବଲ ନାମରେ ପରିଚିତ ଥିଲା । ଭିଲର ରାଜା ଅଶ୍ବଲଙ୍କ ବିରୋଧରେ ଅନହିଲଓ୍ବାଡାର ଚାଲୁକ୍ୟ ଶାସକ କର୍ଣ୍ଣ ଯୁଦ୍ଧ କରି ବିଜୟ ହୋଇଥିଲେ । କର୍ଣ୍ଣ ଅଶ୍ବଲର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖିଦେଲେ । ଏହାପରେ ସୁଲତାନ ଅହମ୍ମଦ ଶାହ ୧୪୧୧ ରେ କର୍ଣ୍ଣାବତୀ ନିକଟରେ ନୂଆ ସହର ସ୍ଥାପନ କଲେ । ଯାହାର ନାମ ଅହମଦାବାଦ ରଖାଯାଇଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାବଳି ଅବସରରେ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଆଯୋଧ୍ୟା କରିବାକୁ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆଯୋଧ୍ୟା ଆମର ସମ୍ମାନର ପ୍ରତୀକ । ଭାଜପା ସରକାର ଏହା ପୂର୍ବରୁ ଆଲହାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.