ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସକାଳ ୮ଟାରୁ ମତଦାନ ଆରମ୍ଭ, ୮୯ଟି ଆସନରେ ସଂଧ୍ୟା ୫ଟା ଯାଏ ଚାଲିବ ଭୋଟିଂ

Published By : Prameya-News7 Bureau | December 01, 2022 IST

ଗାନ୍ଧିନଗର: ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମତଦାନ ଆରମ୍ଭ । ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ସଂନ୍ଧ୍ୟା ୫ଟା ଯାଏଁ ନିଜର ମତାଧିକାର ସାବ୍ୟସ୍ତ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟରେ ୮୯ଟି ବିଧାନସଭା ଆସନରେ ଭୋଟିଂ ହେଉଛି ।

ଗୁଜରାଟର ୧୯ଟି ଜିଲ୍ଲାରେ ମତଦାନ ଆରମ୍ଭ ହୋଇଛି । ମୋଟ୍ ୮୯ଟି ସିଟ୍ରେ ୭୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୨କୋଟି ୩୯ଲକ୍ଷ ୭୬ହଜାର ୬୭୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ୧୪ହଜାର ୩୮୨ଟି ମତଦାନ କେନ୍ଦ୍ର ହୋଇଛି । ଏଥି ମଧ୍ୟରୁ ୩ ହଜାର ୩୧୧ଟି ସହରୀ ମତଦାନ କେନ୍ଦ୍ର ରହିଥିବାବେଳେ ଗ୍ରାମାଞ୍ଚଳ ପାଇଁ ୧୧ ହଜାର ୭୧ଟି ବୁଥ୍‌ ବ୍ୟବସ୍ଥା ହୋଇଛି । ମୋଟ୍ ୭୮୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ତେବେ ପ୍ରଥମ ଚରଣରେ ୭୦ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି ।

ବିଧାନସଭା ନିର୍ବାଚନରେ ୩ଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଜୋରଦାର ପ୍ରଚାର କରିଥିଲେ ବିଜେପି, କଂଗ୍ରେସ ଏବଂ ଆପ୍‌ । ପ୍ରଥମ ପର୍ଯ୍ୟାୟରେ ବହୁ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟଲୋଡିଆରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ୍‌ ଗାଢବୀ ଖମ୍ବାଲିୟାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି ଜାମନଗରରୁ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା, ଭିରାମଗାମ୍‌ରେ ବିଜେପି ପ୍ରାର୍ଥୀ ହାର୍ଦ୍ଧିକ ପଟେଲଙ୍କ ଭାଗ୍ୟ ପରୀକ୍ଷା ଚାଲିଛି

ଗୁଜରାଟରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଗୁରବାର ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ଡିସେମ୍ବର ୫ ତାରିଖରେ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ମୋଟ୍ ୪କୋଟି ୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ୮ ତାରିଖରେ ଭୋଟ୍ ଗଣତି ହେବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.