ଗୁଜରାଟ କଂଗ୍ରେସ ସଭାପତି କହିଲେ ନିର୍ବାଚନରେ ଦଳର ଲଜ୍ଜାଜନକ ପରାଜୟର କାରଣ, ଜାଣନ୍ତୁ ଦାୟୀ କଲେ କାହାକୁ
8/12/2022 at 6:47 PM

ଗାନ୍ଧିନଗର ୮।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ନିଜ ଆଡୁ ହାର ସ୍ୱୀକାର କରି ନେଇଛି। ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଜଗଦ୍ଦୀଶ ଠାକୋର ଭୋଟ ଗଣନାର ପ୍ରାରମ୍ଭିକ ଫଳାଫଳକୁ ଦେଖି ଟ୍ରେଣ୍ଡ ଆମ ବିରୋଧୀ ଥିବା କହିଥିଲେ। ତେବେ ଜନତାଙ୍କ ନିଷ୍ପତ୍ତିକୁ ଆମେ ସ୍ୱୀକାର କରିବୁ ବୋଲି କହିଥିବା ବେଳେ ପରାଜୟ ସ୍ୱୀକାର କରିଛନ୍ତି। ତେବେ ପାର୍ଟି ଯେତେବେଳେ ୧୭ ସିଟ୍ ରେ ଅଟକି ଗଲା ସେତବେଳେ ଠାକୋର ଦଳର ଏପରି ହାର ଲାଗି ଆମ ଆଦମୀ ପାର୍ଟି (ଆପ) ଓ ଅସଦୁଦ୍ଦିନ ଓବେସୀଙ୍କ ଏଆଇଏମଆଇଏମ କୁ ଦାୟୀ କରିଛନ୍ତି।

କେବଳ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଠାକୋର ନୁହନ୍ତି ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ମଧ୍ୟ ଆପକୁ ଭୋଟ କଟା ଦଳ ବୋଲି କହିଛନ୍ତି। ତେବେ ଜଗଦ୍ଦୀଶ ଠାକୋର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ନିର୍ବାଚନ କାଳରେ ଯଦିଓ ଅସଦୁଦ୍ଦିନ ଓବେସୀ ଓ ଆପ ଭୋଟ କାଟିବାର ମୁଖ୍ୟ କାରଣ ଥିଲେ ତଥାପି କଂଗ୍ରେସ ପରାଜୟର ଅନ୍ୟ କାରଣ ମଧ୍ୟ ରହିଛି। ତେବେ ଏହି କାରଣ ଖୋଜିବା ପାଇଁ ଆମେ ଖୁବ୍ ଶୀଘ୍ର ବୈଠକ କରିବୁ ବୋଲି ଅଧ୍ୟକ୍ଷ ଠାକୋର କହିଛନ୍ତି।

ଏକ ଟେଲିଭିଜନ ଇଣ୍ଟରେଭ୍ୟୁରେ ଶଶି ଥରୁର କଂଗ୍ରେସର ଖରାପ ପ୍ରଦର୍ଶନ ପ୍ରସଙ୍ଗରୁ ନିଜ ହାତ ଝାଡିବାକୁ ଚେଷ୍ଟା କରିଥିବା ଦେଖା ଯାଇଛି। ଏକ ପ୍ରଶ୍ନର ଜବାବରେ ଥରୁର ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ସୂଚୀରେ ମୋ ନା ନଥିଲା କି ଦିନେ ହେଲେ ସେଠାକୁ ପ୍ରଚାର କରିବାକୁ ଯାଇ ନଥିଲି ବୋଲି କହିଥିଲେ। ଏଣୁ ତୃଣମୂଳ ସ୍ତରରେ କଣ ହେଲା ଦଳର ଏପରି ପରାଜୟ କାହିଁକି ହେଲା ତାହା କହିବା ମୋ ପକ୍ଷେ କଷ୍ଟକର ବୋଲି କହି ନିଜକୁ ପ୍ରସଙ୍ଗରୁ ଓହରାଇ ନେଇଛନ୍ତି।